Latest Odisha News

BREAKING NEWS

No deal, only unconditional surrender’: ଇରାନକୁ ନଇଁବାକୁ ପଡ଼ିବ, ନହେଲେ ପରିଣାମ ଭୟଙ୍କର ହେବ !

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଏବେ ମହାଯୁଦ୍ଧର ପରିସ୍ଥିତି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇ ଇରାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନକୁ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାକୁ ପଡ଼ିବ, ନହେଲେ ଏହି ଆକ୍ରମଣ ଜାରି ରହିବ ।

ଅନ୍ୟପଟେ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ପରେ ଦେଶରେ ନେତୃତ୍ୱ ଶୂନ୍ୟତା ଦେଖାଦେଇଛି । ଏହି ସମୟରେ ନିର୍ବାସିତ କ୍ରାଉନ୍ ପ୍ରିନ୍ସ ରେଜା ପହଲଭି ଏକ ଭାବପୂର୍ଣ୍ଣ ଭିଡିଓ ବାର୍ତ୍ତା ଜରିଆରେ ନିଜକୁ ବିକଳ୍ପ ନେତା ଭାବେ ଉପସ୍ଥାପନ କରିଛନ୍ତି ।

ମଧ୍ୟ-ପ୍ରାଚ୍ୟରେ ବାରୁଦର ଗନ୍ଧ ବ୍ୟାପିବାରେ ଲାଗିଛି । ଗୋଟିଏ ପଟେ ଆମେରିକା ଓ ଇସ୍ରାଏଲର ମିଳିତ ପ୍ରହାର, ଅନ୍ୟପଟେ ଇରାନ ଭିତରେ କ୍ଷମତା ପାଇଁ ସଂଘର୍ଷ । ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନ ସହିତ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ । ଇରାନରେ ଏକ ‘ସଠିକ୍ ନେତୃତ୍ୱ’ ଆସିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ କହିବା ଅନାସାରେ, ଯଦି ଇରାନ ନଇଁଯାଏ, ତେବେ ସହଯୋଗୀ ଦେଶମାନଙ୍କ ସହାୟତାରେ ଇରାନର ଅର୍ଥନୀତିକୁ ପୁଣି ଥରେ ସୁଧାରିବା ପାଇଁ ଚେଷ୍ଟା କରାଯିବ ।

ସେପଟେ ଇରାନର ପୂର୍ବତନ ରାଜପରିବାରର ସଦସ୍ୟ ରେଜା ପହଲଭି ଏକ ବଡ଼ ରାଜନୈତିକ ବୟାନ ଦେଇଛନ୍ତି । ସେ ଆରବ ଦେଶଗୁଡ଼ିକ ଉପରେ ଇରାନର ମିସାଇଲ୍ ମାଡ଼କୁ ଘୋର ନିନ୍ଦା କରିବା ସହ କହିଛନ୍ତି ଯେ, ଏହି ଆକ୍ରମଣାତ୍ମକ ନୀତି ଇରାନର ଜନତାଙ୍କର ନୁହେଁ, ବରଂ ବର୍ତ୍ତମାନର ଶାସନ ବ୍ୟବସ୍ଥାର । ସେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି, ଯାହା ଗଣତାନ୍ତ୍ରିକ ପଦ୍ଧତିରେ ଦେଶକୁ ପରିଚାଳିତ କରିବ ।

ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନ କହିଛନ୍ତି ଯେ କିଛି ଦେଶ ମଧ୍ୟସ୍ଥତା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଶାନ୍ତି ଆଲୋଚନା କେତେ ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେହେରାନ ଏବଂ ଇସଫାହନ ଭଳି ସହରରେ ଏବେବି ଆତଙ୍କର ବାତାବରଣ ଜାରି ରହିଛି ।

 

Leave A Reply

Your email address will not be published.