ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଆରମ୍ଭ ହୋଇଯାଇଛି । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଂଟେନର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତୀୟ ଦଳ ସେମିଫାଇନାଲ ଖେଳିଥିବା ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନାହିଁ । ନ୍ୟୁଜିଲାଣ୍ଡ କୋଲେ ମ୍ୟାକୋନଚିଙ୍କ ସ୍ଥାନରେ ଜ୍ୟାକବ ଡଫିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି । ଅହମ୍ମଦାବାଦ ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବାକୁ ଚାହିଁବ । ଏହା ବିପକ୍ଷ ଦଳ ଉପରେ ଚାପ ପକାଇବ । ଇତିହାସରେ ନାମ ଲିପିବଦ୍ଧ କରିବା ପାଇଁ ଭାରତ ନିକଟରେ ସୁଯୋଗ ରହିଛି ।
ଭାରତ ଫାଇନାଲରେ ଜିତିଲେ ପ୍ରଥମ ଦଳ ଭାବେ ୩ଟି ଟାଇଟଲ ହାସଲ କରିବ । ଏହା ବ୍ୟତୀତ ଆୟୋଜକ ଦେଶ ଏବଂ କ୍ରମାଗତ ଦ୍ୱିତୀୟ ଥର ଟାଇଟଲ ହାସଲ କରିବାରେ ମଧ୍ୟ ପ୍ରଥମ ହେବ । ଗତ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ଏଠାରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା । ଏହି ଦୁଃସ୍ୱପ୍ନ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କିନ୍ତୁ ପ୍ରଶଂସକ ମାନେ ବିଶ୍ୱାସ ରଖିଛନ୍ତି ।