ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT । NCERT ନିର୍ଦ୍ଦେଶକ ଓ ସଦସ୍ୟଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ବିତରଣ ହୋଇଥିବା ସମସ୍ତ ପୁସ୍ତକ ପ୍ରତ୍ୟାହାର ହୋଇଛି ଜଣାଇଲା। ବିବାଦୀୟ ଚାପ୍ଟରକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଏ ଉତ୍ତରଦାୟୀ ଜଣାଇବାକୁ କହିଥିଲେ।
ସୂଚନା ଥାଉକି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ ଏକ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏକ ଅଧ୍ୟାୟକୁ ନେଇ ଖପ୍ପା ହୋଇଥିଲେ ସୁପ୍ରିମ୍କୋର୍ଟ। ଚଳିତ ବର୍ଷ ଫେବୃଆରୀ ୨୬ ତାରିଖ ଦିନ ଏହା ଉପରେ କେନ୍ଦ୍ର ସରକାର ଓ ଏନ୍ସିଇଆର୍ଟି (ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ଠାରୁ ଜବାବ ମାଗିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପୁସ୍ତକକୁ ଭାରତ ଓ ବିଦେଶରେ ନିଷିଦ୍ଧ କରିବା ସହ ସମସ୍ତ କପି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଏହି ପୁସ୍ତକକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଅନଲାଇନରେ ସେୟାର କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ଏଥିସହ କେନ୍ଦ୍ର ଓ ଏନ୍ସିଇଆର୍ଟି ଅଧ୍ୟକ୍ଷ ପ୍ରଫେସର ଦିନେଶ ପ୍ରସାଦ ସାକଲାନିଙ୍କୁ ନୋଟିସ୍ ଜାରି କରାଯାଇଥିଲା। ୩୨ଟି ପୁସ୍ତକ ବଜାରରେ ପ୍ରବେଶ କରିଥିଲା କିନ୍ତୁ ବର୍ତ୍ତମାନ ସେଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି। ସମଗ୍ର ଅଧ୍ୟାୟକୁ ସଂଶୋଧନ କରାଯିବ।
ପୁସ୍ତକରେ କ’ଣ ଥିଲା
‘ଆମ ସମାଜରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ସଂଶୋଧିତ ଅଧ୍ୟାୟରେ ସାଧାରଣ ଲୋକ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା କିପରି କଷ୍ଟକର ଏବଂ ନ୍ୟାୟପାଳିକାରେ ଦୁର୍ନୀତି ଓ ବ୍ୟାକ୍ ଲଗ୍ ଭଳି ଆହ୍ୱାନ ଉପରେ ଆଲୋକପାତ କରାଯାଇଛି। ପୁସ୍ତକରେ କୁହାଯାଇଛି ଯେ, ବିଚାରପତିମାନେ ଏକ ଆଚରଣ ବିଧି ଦ୍ୱାରା ବନ୍ଧା, ଯାହା କୋର୍ଟରେ ଓ କୋର୍ଟ ବାହାରେ ସେମାନଙ୍କର ଆଚରଣକୁ ନିୟନ୍ତ୍ରଣ କରେ। ଏଥିରେ ଆହୁରି କୁହାଯାଇଛି ଯେ, ଦୁର୍ନୀତି ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ତଥା ଟେକ୍ନୋଲୋଜି ଦ୍ବାରା ସ୍ୱଚ୍ଛତା ଆନୟନ ଓ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉଦ୍ୟମ କରାଯାଉଛି।