ଅହମ୍ମଦାବାଦ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପୂନର୍ବାର ଟି୨୦ ଚାମ୍ପିୟନ ହୋଇଛି । ତେବେ ଚାପଭରା ପରିସ୍ଥିତିରେ ଭାରତର ଅନେକ ବ୍ୟାଟ୍ସମ୍ୟାନ ଫେଲ ମାରିଥିବା ବେଳେ ଚମକିଥିଲେ ସଞ୍ଜୁ ସାମସନ । ଫାଇନାଲରେ ତାଙ୍କ ଇନିଂସକୁ ଭୂୟସୀ ପ୍ରଶଂସା କରାଯାଉଛି । ସୂର୍ଯ୍ୟକୁମାରଙ୍କ ଦଳକୁ ସୂଚାରୁରୂପେ ପରିଚାଳନା କରିଥିଲେ ମଧ୍ୟ ତାଙ୍କ ଫର୍ମ ଏବେ ଚିନ୍ତାର କାରଣ ସାଜିଛି । ଏହା ବ୍ୟତୀତ ବୟସ ମଧ୍ୟ ଏକ ସମସ୍ୟା ଭାବେ ଉଭା ହୋଇଛି । ତାଙ୍କୁ ଏବେ ୩୫ ବର୍ଷ । ସେ ଅତି ବେଶୀରେ ଆଉ ୨/୩ ବର୍ଷ ଖେଳିପାରିବେ । ୨୦୨୮ ଟି୨୦ ବିଶ୍ୱକପ ତାଙ୍କର ଶେଷ ବଡ ଟୁର୍ଣ୍ଣାମେଂଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଏବେ ପ୍ରଶ୍ନ ଉଠୁଛି ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଦଳର ନେତୃତ୍ୱ କିଏ ନେବ । ସଞ୍ଜୁଙ୍କ ସ୍ଥିର ମସ୍ତିଷ୍କ ଓ ହାର ନ ମାନିବା ଜିଦ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ମହମ୍ମଦ କୈଫଙ୍କ ପରି ପୂର୍ବତନ ଖେଳାଳି ମଧ୍ୟ ସଞ୍ଜୁଙ୍କୁ ଭାରତର ଭବିଷ୍ୟତ ଅଧିନାୟକ ବୋଲି କହିଛନ୍ତି । ସୂର୍ଯ୍ୟକୁମାର ବିଶ୍ୱକପରେ ୩୦.୨୫ ଆଭରେଜରେ ୨୪୨ ରନ କରିଥିଲେ । ତେବେ ସେମିଫାଇନାଲ ଓ ଫାଇନାଲରେ ଭଲ ଖେଳିପାରି ନ ଥିଲେ । ସଞ୍ଜୁଙ୍କ ନିକଟରେ ବୟସ ଓ ଦକ୍ଷତା ରହିଛନ୍ତି । ସେ ୨/୩ ବର୍ଷ ମଧ୍ୟରେ ନିଜକୁ ଅଭିଜ୍ଞ ଟି୨୦ ଖେଳାଳି ଭାବେ ଉପସ୍ଥାପିତ କରିପାରିଲେ ଅଧିନାୟକ ଦାୟିତ୍ୱ ମିଳିବା ବଡ କଥା ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କ ସହ ତାଙ୍କୁ ମୁକାବିଲା କରିବାକୁ ହେବ ।