Latest Odisha News

BREAKING NEWS

Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୧୪ ତାରିଖରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ ମାମଲାର ସମାଧାନ ନିମନ୍ତେ ଏହି ଶିବିରର ଆୟୋଜନ କରାଯାଉଛି । ଏଠାରେ ଦୀର୍ଘ ଦିନ ଧରି ବିଚାରଧୀନ ଥିବା ମାମଲାଗୁଡ଼ିକର ଏକକାଳୀନ ସମାଧାନ କରାଯିବ ।

ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ଟିପିଏସ୍ଓଡିଏଲ୍ ଡିଭିଜନ୍, ସବ୍-ଡିଭିଜନ୍, ସେକ୍ସନ ଅଫିସ ଓ ନିର୍ଦ୍ଦିଷ୍ଟ କୋର୍ଟ ପରିସରରେ ଏକକାଳୀନ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଶିବିରଗୁଡ଼ିକ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ମାର୍ଗଦର୍ଶନ ଓ ସହାୟତା ପାଇପାରିବେ ।

ଟିପିଏସ୍ଓଡିଏଲର ଏଭଳି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ବିଜୁଳି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟାନ୍ୱୟନ ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନକୁ ଶୃଙ୍ଖଳିତ କରିବାରେ ସହାୟକ ହେବ । ବିଜୁଳି ବ୍ୟବହାରରେ ସ୍ୱଚ୍ଛତା ଓ ନିୟମିତତା ରକ୍ଷା ହେବା ସହ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା ସ୍ଥାପିତ ହୋଇପାରିବ । ପ୍ରବର୍ତ୍ତନ ଅଧିକାରୀ, ଆଇନ ବିଶେଷଜ୍ଞ ଓ ଉପଭୋକ୍ତା ସହାୟତା କର୍ମଚାରୀମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ଲୋକ ଅଦାଲତରେ ଉପସ୍ଥିତ ରହି ଉପଭୋକ୍ତାମାନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବେ ।

ଲୋକ ଅଦାଲତ ସମ୍ପର୍କିତ ସବିଶେଷ ସୂଚନା, ଯେପରି, ଜିଲାଓ୍ୱାରୀ ବ୍ୟବସ୍ଥା, ଯୋଗ୍ୟ ମାମଲାର ବର୍ଗୀକରଣ, ପର୍ଯ୍ୟାୟ କ୍ରମେ ମାର୍ଗଦର୍ଶନ ଇତ୍ୟାଦି, ଟିପିଏସ୍ଓଡିଏଲର କାର୍ଯ୍ୟାଳୟରେ ମିଳିବ । ଗ୍ରାହକମାନେ ଅତିରିକ୍ତ ସୁବିଧା ନିମନ୍ତେ କମ୍ପାନୀର ଗ୍ରାହକ ସେବା କେନ୍ଦ୍ର ଓ ସହ ଯୋଗାଯୋଗ କରିପାରିବେ ।

ଏହା ଚଳିତ ବର୍ଷର ଶେଷ ଲୋକ ଅଦାଲତ ହୋଇଥିବା ହେତୁ ଟିପିଏସ୍ଓଡିଏଲ୍ ନିଜର ସମସ୍ତ ଗ୍ରାହକମାନଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ ନିବେଦନ କରୁଛି । ଲୋକ ଅଦାଲତରେ ମାମଲାର ସମାଧାନ କରି ଉପଭୋକ୍ତାମାନେ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ଏହାଦ୍ୱାରା ସମଗ୍ର ଦକ୍ଷିଣ ଓଡ଼ିଶାରେ ଉପଭୋକ୍ତା ଅନୁକୂଳ ତଥା ସୁରକ୍ଷିତ ବିଜୁଳି ସେବା ଯୋଗାଣ ସୁନିଶ୍ଚିତ ହୋଇପାରିବ ।

କମ୍ପାନୀ ଏହି ଲୋକ ଅଦାଲତ ଶିବିର ମାଧ୍ୟମରେ ଉପଭୋକ୍ତା କୈନ୍ଦ୍ରିକ ସେବା ସାଙ୍ଗକୁ ଆଇନଗତ ବିଦ୍ୟୁତ ବ୍ୟବହାରର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିଛି ।

Leave A Reply

Your email address will not be published.