Latest Odisha News

BREAKING NEWS

Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ମାଝୀ ଏହି ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (OSD) ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପରିବାରକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଓଡ଼ିଆ ଲୋକମାନଙ୍କ ପକ୍ଷରୁ ପ୍ରାୟ ୨୦୦ ଟେଲିଫୋନ ଆସିଛି। ଏବଂ ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ କରାଯାଇ ଟୋଲଫ୍ରି ନମ୍ୱର ୧୮୦୦-୧୧୮-୭୯୭ ଜାରି କରାଯାଇଛି ।

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଦୁବାଇ, ଆବୁଧାବି ଓ ବାହାରିନରେ ଥିବା ଓଡ଼ିଆ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ସେଠାକାର ବାସ୍ତବ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ସୂଚନାଯୋଗ୍ୟ ଯେ, ଦୁବାଇରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ କେରଳର କୋଚି ଦେଇ ମାର୍ଚ୍ଚ ୭ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି । ବାକି ପର୍ଯ୍ୟଟକମାନେ ମୁମ୍ୱାଇ ଦେଇ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଜରିଆରେ ୮ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫ ହଜାର ଭାରତୀୟ ସ୍ୱତନ୍ତ୍ର ଫ୍ଲାଇଟ ଜରିଆରେ ନିରାପଦରେ ଭାରତକୁ ଫେରି ଆସିଛନ୍ତି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ପାଇଁ ନିମ୍ନଲିଖିତମତେ ଯୋଗାଯୋଗ କରିବା ପାଇଁ ଟେଲିଫୋନ ନମ୍ୱର ଜାରି କରାଯାଇଛି ।

କଣ୍ଟ୍ରୋଲ ରୁମ୍‌ ନମ୍ୱରକୁ ସକାଳ ୯ ଟା’ରୁ ରାତି ୯ ଟା ପର୍ଯ୍ୟନ୍ତ ଫୋନ୍ କରିହେବ ।

1800118797 (Toll Free)

+91 11 2301 2113

+91 11 2301 4104

+91 11 2301 7905

Leave A Reply

Your email address will not be published.