Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି କଂଗ୍ରେସ

ଭୁବନେଶ୍ବର: ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ଭୋଟ ? ହେବ କି କ୍ରସ୍ ଭୋଟିଂ ? ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ ପ୍ରଦେଶ କଂଗ୍ରେସ ହ୍ବିପ୍ ଜାରି କରିଛି। ଏନେଇ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ବିଜେଡି ମଧ୍ୟ ହୁଇପ୍ ଜାରି କରିଛି।

ଭୁବନେଶ୍ବର ନ ଛାଡିବାକୁ ବିଜେଡିର ହୁଇପ୍ ଜାରି କରିଛି। ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରଠାରୁ ବିଜେଡି ରାଜନୀତିରେ ହଲଚଲ ବଢ଼ିଯାଇଛି । ରାଜ୍ୟସଭାରେ କ୍ରସ ଭୋଟିଂ ଓ ଭୋଟ ନାକଚ ଭୟ ବିଜେଡିକୁ ରହିଛି । ଏପରିକି ବିଧାୟକ ଭୋଟ ଦେବାକୁ ନ ଆସିବା ଚିନ୍ତା ମଧ୍ୟ ଘାରିଛି। ସେଥିପାଇଁ ବିଧାୟକଙ୍କ ଉପରେ ଦଳ କଡ଼ା ନଜର ରଖିଛି ।

ସେହିପରି କଂଗ୍ରେସ ମଧ୍ୟ କୌଣସି ବିଧାୟକ ହେଡ୍ କ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦେଇଛି। ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ଭୋଟ ହେବ। ସମସ୍ତ ବିଧାୟକ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହିଁ ରହିବେ । ଏହି ୩ ଲାଇନ ହ୍ୱିପ୍ ନ ମାନିଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ପଷ୍ଟ କରିଛି । ତେବେ ଏ ହ୍ୱିପ୍‌କୁ କିଏ ଡେଇଁବ, ତାହା ଉପରେ ବି ନଜର ରହିଛି । ଅନ୍ୟପଟେ ବୁଧବାର ବିଜେଡି ପକ୍ଷରୁ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଭଳି ହ୍ୱିପ୍ର ଚିଠି ସମସ୍ତ ବିଧାୟକଙ୍କୁ ପଠାଇଛନ୍ତି ।

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ପ୍ରଥମ ପସନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ରୋଚକ ହେବାକୁ ଯାଉଛି ଚତୁର୍ଥ ଆସନ ଲଢ଼େଇ । ବିଜେଡି-କଂଗ୍ରେସ-ସିପିଆଇଏମ୍ର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ମଇଦାନରେ । ଏହି ଆସନ ପାଇଁ ବିଜେପି ସମର୍ଥନରେ ଲଢ଼ୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ । ଦତ୍ତେଶ୍ୱର-ଦିଲ୍ଲୀପଙ୍କ ମଧ୍ୟରୁ କିଏ ବାଜି ମାରିବ, ସେ ନେଇ ଚାଲିଛି ଅଙ୍କକଷା ।

ସେପଟେ ଚତୁର୍ଥ ଆସନରେ ବିଜେପି ସମର୍ଥନରେ ନିର୍ଦ୍ଦଳୀୟ ଭାବେ ଲଢ଼ୁଥିବା ଦିଲ୍ଲୀପ ରାୟ ମଧ୍ୟ ବିଜୟ ନେଇ କସରତ ତେଜିଛନ୍ତି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ବିଜେପିର ନଜର ରହିଛି । ଏଭଳି କିଛି ବିଧାୟକଙ୍କ ସମର୍ଥନ ପାଇବାକୁ ଦଳ ଆଶା ରଖିଛି ।

Leave A Reply

Your email address will not be published.