ଭଦ୍ରକ: ପ୍ରେମ ଅନ୍ଧ, ବୁଝେ ନାହିଁ କିଛି, କେତେ ବେଳେ ସମୁଦ୍ରର ଜୁଆରରେ ନିଜକୁ ହଜାଇ ଦିଏ ତଆଉ କେତେବେଳେ ଖୋଲା ଆକାଶରେ ନିଜକୁ ସମର୍ପି ଦିଏ । ପ୍ରେମ ମାନେନା ଜାତି ଅଜାତି, ପ୍ରେମ ବୁଝେନା ଧନୀ କି ଗରିବ। କେବଳ ନିଜର ସାଥୀକୁ ପାଖରେ ପାଇଲେ ସ୍ୱର୍ଗର ଶାନ୍ତି ତାକୁ ମିଳିଥାଏ । ଆମେ ଆଜି ଆପଣଙ୍କୁ ସେମିତି ଏକ କାହାଣୀ କହୁଛୁ । ଓଡିଆ ପୁଅ ପ୍ରେମରେ ପାଗଳ ହୋଇ ଶେଷରେ ସାତ ଦରିଆ ପାର ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଦେଶିନୀ । ସବୁ ବନ୍ଧନକୁ ଛାଡି ସେ ଓଡିଆ ଘରର ବୋହୂ ହୋଇଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଂଚାୟତ ଉହାଡ ଗାଁରେ ରୁହନ୍ତି ସନାତନ ସେଠୀ ଓ କମଳା ସେଠୀ । ବାଲେଶ୍ୱରରେ ମ୍ୟାନେଜମେଣ୍ଟ ପାଠ ପଢିବା ପରେ ଶୁକଦେବ ସେଠୀ ମାଲଦୀପରେ ଚାକିରି ଜୀବନ ଆରମ୍ଭ କରନ୍ତି । ସେ ଚାକିରି କରୁଥିବା ବେଳେ କ୍ରଏସିଆ ଅଞ୍ଚଳର ବାପା ଡାୟନା ଓ ମା ଜାଦ୍ରଭଜଙ୍କ ସହ ଝିଅ ତମରା ବୁଲିବାକୁ ଆସିଥିଲେ। ସେଠାରେ ଶୁକଦେବ ଓ ତମରାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ । ଏହାପରେ ତମରାକୁ ଜୀବନସାଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ଶୁକଦେବ ।

ମାଳଦୀପରେ ଉଭୟଙ୍କ ଭେଟଘାଟ ନହେବାରୁ ୟୁରୋପର ଏକ ରେଷ୍ଟୁରାଣ୍ଟରେ ଶୁକଦେବ ଚାକିରି କରିଥିଲେ । ଶୁକଦେବ ଯେଉଁଠାରେ ଚାକିରି କଲେ ସେଠାରେ ତମରା ଏଚ.ଆର ଥିଲେ । ଶୁକଦେବ ଓ ତମରା ଗୋଟିଏ ସ୍ଥାନରେ ଚାକିରି କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ନିବିଡ ହୋଇଗଲା । ୫ ବର୍ଷ କାଳ ପ୍ରେମ କରିବା ପରେ ତମରାକୁ ବିବାହ କଲେ । ଓଡିଆ ରୀତିନୀତି ଅନୁସାରେ ତମରା ବିବାହ କରିଛନ୍ତି । ଓଡିଶାର ଚାଲିଚଳନି, ବେଶଭୁଷା ହିନ୍ଦୁ ରୀତିନୀତି ତମରାକୁ ଶୁକଦେବ ବୁଝାଇଥିଲେ । ଉଭୟ ବିବାହ କରିବା ପରେ ସମସ୍ତେ ବେସ ଖୁସି ଅଛନ୍ତି । ଏପରିକି ନୂଆ ବୋହୁ ହେବା ପରେ ଓଡିଆ ଘରର ଡାଲମା ପ୍ରସ୍ତୁତ କରିଛନ୍ତି ତମରା ।
ଶୁକଦେବ ଓ ତମରାଙ୍କ ବିବାହ ପାଇଁ ଶୁକଦେବଙ୍କ ପରିବାର ଲୋକେ ରାଜି ହେବା ପରେ ତମରା ଏକାଏକା ୟୁରୋପରୁ ଓଡିଶା ଆସିଛନ୍ତି । ଶୁକଦେବ ଭାରତର ବିଭିନ୍ନ ସ୍ଥାନ ତାଙ୍କୁ ବୁଲାଇବା ସହ ଗାଁର ପରିବେଶ ସହ ତାଙ୍କୁ ବୁଝାଇଛନ୍ତି । ବାଜା ବଜାଇ ରୋଷଣୀ କରି ବିବାହ ହୋଇଥିଲା । ଆଉ ଏହି ବାହାଘର ଦେଖିବା ପାଇଁ ବହୁ ମାତ୍ରାରେ ଦର୍ଶକଙ୍କ ଭିଡ ଜମିଥିଲା । ପଣ୍ଡିତଙ୍କ ବେଦମନ୍ତ୍ର ଧ୍ୱନିରେ ବେଦୀରେ ବସି ତମରା ଓ ଶୁକଦେବ ବିବାହ କରିଥିଲେ । ତମରାଙ୍କୁ ସ୍ଥାନୀୟ ଅଞ୍ଚଳର ଶ୍ରୀଧର ମାଝୀ କନ୍ୟାଦାନ କରିଥିଲେ । ଏହି ବିବାହ ପରେ ବହୁତ ଲୋକ ଏମାନଙ୍କ ସହ ଆସି ସେଲଫି ନେବା ସହ ଫଟୋ ଉଠାଇଛନ୍ତି । ଏମାନଙ୍କ ଯୋଡି ସବୁବେଳେ ସେମିତି ହସୁଥାଉ ବୋଲି ସମସ୍ତେ କହିଛନ୍ତି ।