Latest Odisha News

BREAKING NEWS

ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଏବଂ ବେଆଇନ ବିଦ୍ୟୁତ ଯୋଗାଣ ଠାବ କରିଛି । ଏ ସଂକ୍ରାନ୍ତରେ କମ୍ପାନୀ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ପୁଲିସକୁ ଏ ବାବଦରେ ଜଣାଇଛି । ଏଥିସହିତ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କୁ ଏଭଳି ଅଭ୍ୟାସରୁ ବିରତ ରହିବା ପାଇଁ କହିବା ସହ ବେଆଇନ ବିଦ୍ୟୁତ ସଂଯୋଗର ପୁନଃସ୍ଥାପନ କରିବା ପାଇଁ ଆଇନଗତ ପ୍ରକ୍ରିୟା ଅନୁସରଣ କରିବାକୁ ଅନୁରୋଧ କରିଛି ।

ଗତ ୧୨ ମାର୍ଚ୍ଚ ୨୦୨୬ରେ ଜୟପୁର ସର୍କଲ ଅନ୍ତର୍ଗତ ନବରଙ୍ଗପୁର ଇଲେକ୍ଟ୍ରିକାଲ ଡିଭିଜନର କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କେର୍ଲା ଗ୍ରାମରେ ଟିପିଏସ୍ଓଡିଏଲର କର୍ମଚାରୀମାନେ ଏଭଳି ଏକ ଘଟଣା ଠାବ କରିଥିଲେ । ଯେଉଁଠାରେ ଜଣେ ବ୍ୟକ୍ତି ବିଦ୍ୟୁତ ଦେୟ ପ୍ରଦାନ କରିଥିବା ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ମଧ୍ୟ ଅନୈତିକ ଉପାୟରେ ବିଦ୍ୟୁତ ସଂଯୋଗ ପୁନଃ ସ୍ଥାପନ କରୁଥିଲେ । ଘଟଣାର ତଦନ୍ତ ପାଇଁ ଫଟୋ ଏବଂ ଭିଡିଓ ପ୍ରମାଣ ସହିତ ମାମଲାକୁ ପୁଲିସକୁ ଜଣାଇ ଦିଆଯାଇଛି ।

ସେହିଭଳି ଗତ ୧୪ ମାର୍ଚ୍ଚ ୨୦୨୬ରେ ଟିପିଏସ୍ଓଡିଏଲ୍ ତରଫରୁ ଅନ୍ୟ ଏକ ଘଟଣା ଠାବ କରାଯାଇଛି । ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଲଢ଼ୁପଡ଼ା ଗାଁର ଜନୈକ ବ୍ୟକ୍ତି ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିବା ଉପଭୋକ୍ତାଙ୍କ ଘରେ ଅନୈତିକ ଉପାୟରେ ବିଦ୍ୟୁତ ଯୋଗାଣ ପୁନଃ ସ୍ଥାପନ କରିବାର ଦେଖିବାକୁ ମିଳିଥିଲା । ଉପଲବ୍ଧ ସୂଚନା ମୁତାବକ ଜନୈକ ବ୍ୟକ୍ତି ଲଢ଼ୁପଡ଼ା ଗାଁର ଗୋବର୍ଦ୍ଧନ ଗୌଡ଼ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ପୁଲିସ ପାଖରେ ଏକ ମାମଲା ରୁଜୁ ହେବା ସହିତ ସବିଶେଷ ତଥ୍ୟ ପ୍ରମାଣ ଦାଖଲ କରାଯାଇଛି । ଏଥିସହିତ ଏ ବାବଦରେ ପୁଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁନିଶ୍ଚିତ କରିଛି ।

ଏକ ଭିନ୍ନ ମାମଲାରେ ଟିପିଏସ୍ଓଡିଏଲ୍ ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ଗାଁରେ ବହୁ ମାତ୍ରାରେ ବେଆଇନ ବିଦ୍ୟୁତ ସଂଯୋଗର ପୁନଃସ୍ଥାପନ ଚିହ୍ନଟ କରିଛି । ଯେଉଁଠାରେ ୪୦ଟି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସତ୍ତ୍ୱେ ବେଆଇନ ଭାବରେ ସେଗୁଡ଼ିକର ପୁନଃ ସ୍ଥାପନ ହୋଇଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ଦାଏର ହେବା ସହିତ ସମସ୍ତ ପ୍ରମାଣ ଦାଖଲ କରାଯାଇଛି ।

ଟିପିଏସ୍ଓଡିଏଲ୍ ଅନଧିକୃତ ଏବଂ ଅନୈତିକ ବିଜୁଳି ସଂଯୋଗକୁ ଦୃଢ଼ ଭାବରେ ନିନ୍ଦା କରୁଛି । ଯାହା କେବଳ କମ୍ପାନୀକୁ ଆର୍ଥିକ କ୍ଷତି ପହଞ୍ଚାଏ ତାହା ନୁହେଁ ବରଂ ଆଇନଗତ ପୁନରୁଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଉପଭୋକ୍ତା ଓ ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇଥାଏ । ଅନୈତିକ ଉପାୟରେ ବିଦ୍ୟୁତ ଶକ୍ତି ବ୍ୟବହାର ବିଦ୍ୟୁତ ଆଘାତ, ବୈଦ୍ୟୁତିକ ଦୁର୍ଘଟଣା ସହିତ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଥାଏ ।

ଟିପିଏସ୍ଓଡିଏଲ୍ ଦୋହରାଇଛି ଯେ ବିଦ୍ୟୁତ ଅଧିନିୟମ(ଇଲେକ୍ଟ୍ରିସିଟି ଆକ୍ଟ) ଅନୁସାରେ ବିଦ୍ୟୁତ ଲାଇନ ଟାମ୍ପରିଂ କରିବା କିମ୍ବା ଅନୈତିକ ଉପାୟରେ ବିଦ୍ୟୁତ ସଂଯୋଗ ନେବା ଏକ ଦଣ୍ଡନୀୟ ଅପରାଧ । ଏଭଳି କାର୍ଯ୍ୟରେ ସାହାଯ୍ୟ କରିବା କିମ୍ବା ସୁବିଧା ଯୋଗାଇବା ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ । ଏଥିରେ ସମ୍ପୃକ୍ତ ଗ୍ରାହକମାନେ ଜରିମାନା, ବକେୟା ଆଦାୟ ଏବଂ ଅନ୍ୟାନ୍ୟ ଅଭିଯୋଗ ସହିତ ଆପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ପାରନ୍ତି ।

କମ୍ପାନୀ ତରଫରୁ ସମସ୍ତ ବକେୟା ବିଦ୍ୟୁତ ଦେୟ ଅଫିସିଆଲ୍ ଚ୍ୟାନେଲ ମାଧ୍ୟମରେ ଦାଖଲ କରିବାକୁ ଏବଂ ପ୍ରାଧିକୃତ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଅଫିସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏଥିସହିତ ଉପଭୋକ୍ତାଙ୍କୁ ଜଣାଯାଇଛି ଅଣସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ ନ କରିବାକୁ । ଏକ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ଆଇନଗତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ । ଅନୈତିକ ଏବଂ ଅସୁରକ୍ଷିତ କାର୍ଯ୍ୟକଳାପ ରୋକିବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଟିପିଏସ୍ଓଡିଏଲ୍ ଅନୁରୋଧ କରିଛି ।

Leave A Reply

Your email address will not be published.