ସମ୍ବଲପୁର: ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଡୁମଚାଲି ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଆହତ ହୋଇଛି। ଡାହାଣ ଗୋଡରେ ବାଜିଛି ଗୁଳି। ଧନେଶ୍ୱରକୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ଭୋର୍ ସକାଳୁ ସମ୍ବଲପୁର ପୋଲିସ କୁଖ୍ୟାତ ଅପରାଧୀ ଟିମା ଝାଙ୍କର ଓରଫ ଧନେଶ୍ବର ଝାଙ୍କରକୁ ଏନ୍କାଉଣ୍ଟର କରିଛି। ପୋଲିସ ସକାଳ ପ୍ରାୟ ୫ଟା ୪୫ ସମୟରେ ଅଭିଯୁକ୍ତ ଏବଂ ତାଙ୍କର ୩ ସହଯୋଗୀଙ୍କୁ ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଠାବ କରିଥିଲେ। ପୁଲିସ ଦଳ ଦ୍ୱାରା ଚ୍ୟାଲେଞ୍ଜ କରାଯିବା ପରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲା। ସେ ପୋଲିସ ଦଳ ଉପରେ ଗୁଳି ଚଳାଇଥିଲା।
ଆତ୍ମରକ୍ଷା ପାଇଁ ପୋଲିସ ଦଳ ନିୟନ୍ତ୍ରିତ ଗୁଳି ଚାଳନା କରିଥିଲା। ଏହି ସମୟରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଅଭିଯୁକ୍ତ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଅନ୍ୟପଟରେ ପୋଲିସ ମଧ୍ୟ ନିୟନ୍ତ୍ରିତ ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତର ୩ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ପୋଲିସ ଗୋଟିଏ ପିସ୍ତଲ ସହିତ ଜୀବନ୍ତ ଗୁଳି, ଗୋଟିଏ ବୋଲେରୋ, ଏକ ତାର କଟର ଏବଂ ବିଦ୍ୟୁତ୍ ପରିବହନ ତାର କାଟିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରିଛି। ଆହତ ଅଭିଯୁକ୍ତ ଟିମାକୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଟିମା ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଅପରାଧ ଏବଂ ଆଲୁମିନିୟମ କଣ୍ଡକ୍ଟର ତାର ଚୋରି ସମେତ ୪୧ରୁ ଅଧିକ ଅପରାଧିକ ମାମଲା ରହିଛି।