ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖଁ ଏବେ କିଙ୍ଗ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ରିଲିଜ ହେବା ପରେ ସେ ରୋମାଂଟିକ ଫିଲ୍ମ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ଏହା ଏକ କ୍ଲାସିକ ପ୍ରେମ କାହାଣୀ ହେବ । ଶାହାରୁଖଙ୍କ ଲୁକକୁ ସମ୍ପୂର୍ଣ୍ଣ ଭାବେ ବଦଳାଯିବ । କାହାଣୀ ପୂରୁଣା ହେଲେ ମଧ୍ୟ ପ୍ରେମ, ଭାବପ୍ରବଣତାରେ ଭରପୂର ଏହି ଫିଲ୍ମକୁ ଏବେକାର ଯୁବପିଢୀଙ୍କ ପସନ୍ଦକୁ ଆଖି ଆଗରେ ରଖାଯାଇ ପ୍ରସ୍ତୁତ କରାଯିବ । ରୋମାନ୍ସ ଫିଲ୍ମରେ ଶାହାରୁଖଙ୍କ ଦର୍ଶକ ବେଶ ପସନ୍ଦ କରିଥାନ୍ତି । ଦିଲୱାଲେ ଦୁହ୍ଲନିୟା ଲେ ଜାଏଗେଁ, କୁଛ କୁଛ ହୋତା ହେ ଓ ଭୀରଜାରା ଫିଲ୍ମ ଏହାର ଉଦାହରଣ ।
ଏହି ଖବର ପ୍ରସାରିତ ହେବା ପରେପ ପରିଣତ ବୟସରେ ଶାହାରୁଖଙ୍କ ଏହି ରୋମାଂଟିକ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଫିଲ୍ମ ଏବେ ଆଲୋଚନାସ୍ତରରେ ରହିଛି । ମେକର୍ସ ଏହି ଫିଲ୍ମକୁ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ରହିଛନ୍ତି । ସବୁ କିଛି ଚୂଡାନ୍ତ ହେବା ପରେ ଅନ୍ୟ ସବୁ ଘୋଷଣା କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ପଠାନ ଓ ଜୱାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଭଲ ପ୍ରତ୍ୟାବର୍ତନ କରିଛନ୍ତି । ଏବେ ରୋମାଂଟିକ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି ।