ହାଇଦ୍ରାବାଦ: ଆଇପିଏଲ ୨୦୨୬ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ ନିଷ୍ପତି ନେଇଛି । ଆଘାତପ୍ରାପ୍ତ ପ୍ୟାଟ କୁମିନ୍ସଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ବୁଧବାର ଫ୍ରାଂଚାଇଜର ପକ୍ଷରୁ ଏହି ଘୋଷଣା କରାଯାଇଛି । ଅଭିଷେକ ଶର୍ମା ଓ ଈଶାନଙ୍କ ମଧ୍ୟରେ କିଏ ଏହି ଦାୟିିତ୍ୱ ତୁଲାଇବେ ସେ ନେଇ ଆଲୋଚନା ଚାଲିଥିଲା । ଶେଷରେ ଈଶାନଙ୍କୁ ଷ୍ଟାଣ୍ଡବାଇ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଟି୨୦ ବିଶ୍ୱକପରେ ଈଶାନ ୧୯୩ ଷ୍ଟ୍ରାଇକରେଟରେ ୩୧୭ ରନ କରିଥିଲେ । ଆଇପିଏଲରେ ହାଇଦ୍ରାବାଦ ପକ୍ଷରୁ ଈଶାନଙ୍କ ଏହା ଦ୍ୱିତୀୟ ସିଜନ ହେବ ।
ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଈଶାନଙ୍କ ନେତୃତ୍ୱରେ ଝାରଖଣ୍ଡ ଟାଇଟଲ ହାସଲ କରିଥିଲା । ଫାଇନାଲରେ ଈଶାନ ହରିୟାଣା ବିପକ୍ଷରେ ୪୯ ବଲରେ ଶତକ ହାସଲ କରି ଦଳକୁ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ହାଇଦ୍ରାବାଦ ଅଭିଷେକଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରିଛି । ଉଭୟ ଯୁବ ଖେଳାଳି ଏଥର ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ ବୋଲି ଅନୁମାନ କରାଯାଉଛି ।