ବାଲେଶ୍ବର: ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଦେଲା ଧକ୍କା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ ଦୁର୍ଘଟଣା ଘଟିଛି l
ସୂଚନା ଅନୁସାରେ ଆକି ସକାଳ ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଅନ୍ୟ ଏକ ଗାଡିକୁ ଧକ୍କା ଦେବା ସହିତ ରାସ୍ତାର ଡିଭାଇଡ଼ରକୁ ଧକ୍କା ଦେଇଥିଲା। ଫଳରେ ଗାଡି ଚାଳକ ଓ ହେଲଫର ଆଳୁବସ୍ତା ସହ ପୋଲ ତଳକୁ ଖସି ଚାପି ହୋଇ ରହିଥିଲେ।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।