ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଯୁବକମାନେ ହିଁ ଦେଶର ଭବିଷ୍ୟତ ଏବଂ ଅର୍ଥନୀତିର ମେରୁଦଣ୍ଡ। କିନ୍ତୁ ବର୍ତ୍ତମାନ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆମ ଦେଶର ଯୁବପିଢ଼ି ପୂର୍ବ ଅପେକ୍ଷା ଅଧିକ ଶିକ୍ଷିତ ହେଉଛନ୍ତି, କିନ୍ତୁ ସେହି ଅନୁପାତରେ ସେମାନଙ୍କୁ ଚାକିରି ମିଳୁନାହିଁ। ଅଜିମ୍ ପ୍ରେମଜୀ ୟୁନିଭରସିଟିର ରିପୋର୍ଟ ଅନୁସାରେ, ଭାରତରେ ଗ୍ରାଜୁଏଟ୍ ବେକାରୀ ସଂଖ୍ୟା ଆକାଶଛୁଆଁ ହୋଇଛି। ଭାରତରେ ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୩୬୭ ମିଲିୟନ୍ ଯୁବକ ଅଛନ୍ତି। ଏହା ବିଶ୍ୱର ସବୁଠାରୁ ବଡ଼ ଯୁବ ଶକ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଯେଉଁମାନେ ଯେତିକି ଅଧିକ ପାଠ ପଢୁଛନ୍ତି, ସେମାନଙ୍କ ପାଇଁ ବେକାରୀ ସମସ୍ୟା ସେତିକି ଅଧିକ ରହୁଛି।
ରିପୋର୍ଟ ଅନୁସାରେ- ୧୫ରୁ ୨୫ ବର୍ଷ ବୟସର ପ୍ରାୟ ୪୦ ପ୍ରତିଶତ ଗ୍ରାଜୁଏଟ୍ ବର୍ତ୍ତମାନ ବେକାର ଅଛନ୍ତି । ଗତ ୪ ଦଶନ୍ଧି ମଧ୍ୟରେ ଶିକ୍ଷାର ସ୍ତର ବଢ଼ିଛି, ଗରିବ ପରିବାରର ପିଲାମାନେ ମଧ୍ୟ କଲେଜ ଯାଉଛନ୍ତି, କିନ୍ତୁ ସେମାନଙ୍କୁ ସ୍ଥାୟୀ ଚାକିରି ମିଳୁନାହିଁ। ଗତ ଦୁଇ ବର୍ଷରେ ୮୩ ମିଲିୟନ୍ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି ସତ, କିନ୍ତୁ ଏଥିରୁ ଅଧିକାଂଶ କୃଷି କ୍ଷେତ୍ରରେ। ଯେଉଁଠାରେ ଆୟ ବହୁତ କମ୍।
ଶିକ୍ଷିତ ବେକାରୀର କାରଣ କଣ ? ବିଶେଷଜ୍ଞଙ୍କ ମତରେ, ଭାରତର ଅର୍ଥନୈତିକ ମଡେଲ୍ ସ୍କିଲ୍-ଇଣ୍ଟେନ୍ସିଭ୍ ସେବା କ୍ଷେତ୍ର ଯଥା IT ଉପରେ ଅଧିକ ନିର୍ଭରଶୀଳ। ମାନୁଫାକ୍ଚରିଂ ବା ନିର୍ମାଣ କ୍ଷେତ୍ରରେ ଆଶାଜନକ ଚାକିରି ସୃଷ୍ଟି ହୋଇପାରୁନାହିଁ। ଫଳରେ ସାଧାରଣ ଗ୍ରାଜୁଏଟ୍ମାନେ ଚାକିରି ପାଇଁ ସଂଘର୍ଷ କରୁଛନ୍ତି।
ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି, ୨୦୧୭ ପରଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇଛି। ପରିବାର ପ୍ରତିପୋଷଣ ପାଇଁ ଅନେକ ଯୁବକ ପାଠପଢ଼ା ଛାଡ଼ି କମ୍ ମଜୁରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, AI ର ଆଗମନ ହେତୁ ଏଣ୍ଟ୍ରି ଲେଭଲ୍ ଚାକିରି ଉପରେ ମଧ୍ୟ ବିପଦ ଦେଖାଦେଇଛି। ସମୟ ଆମ ହାତରୁ ଖସିଯାଉଛି। ୨୦୩୦ ପରେ ଭାରତର କାର୍ଯ୍ୟକ୍ଷମ ଜନସଂଖ୍ୟା କମିବାକୁ ଲାଗିବ। ଯଦି ଆମେ ସଠିକ୍ ସମୟରେ ଏହି ବିଶାଳ ଯୁବ ଶକ୍ତିକୁ କାମରେ ନଲଗାଇ ପାରିବା, ତେବେ ଏହି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ବେକାରୀର ଏକ ବଡ଼ ସଙ୍କଟରେ ପରିଣତ ହୋଇପାରେ। ସରକାର ଏବଂ ଶିଳ୍ପ ଜଗତ ମଧ୍ୟରେ ସମନ୍ୱୟ ରକ୍ଷା କରି ନୂଆ ନିଯୁକ୍ତି ସୃଷ୍ଟି କରିବା ଏବେ ସବୁଠାରୁ ବଡ଼ ଆହ୍ୱାନ।