Latest Odisha News

BREAKING NEWS

ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ସିଭିୟର ହିଟ୍ ୱେଭ ସ୍ଥିତି ରହିପାରେ । ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ ।

ଅନ୍ୟପଟେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୁତ ହେବାର ଆଶଙ୍କା ରହିଛି । ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବାର ସମ୍ଭାବନା ଅଛି ।

ତେବେ ଗତକାଲି ୮ଟି ସ୍ଥାନରେ ୪୩ ଡିଗ୍ରୀ ଡେଇଁଥିଲା ପାରଦ । ଝାରସୁଗୁଡ଼ା ୪୬ ଡିଗ୍ରୀ ସେଲସିୟସ୍ । ସମ୍ବଲପୁର ୪୫.୩ ଓ ହୀରାକୁଦ ୪୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ, ସୋନପୁର ୪୩.୯ ଡିଗ୍ରୀ, ବରଗଡ଼ ୪୩.୮, ତାଳଚେର ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୩ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.