ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ଏବଂ ତାଙ୍କ ପତ୍ନୀ ଦୀପିକା ପାଲିକଲ ତୃତୀୟ ସନ୍ତାନର ବାପା ମାଆ ହୋଇଛନ୍ତି । ସେମାନେ ଏହି ଖୁସୀ ଖବର ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି । ଝିଅର ନାମ ସେମାନେ ରାହା ପାଲିକଲ କାର୍ତିକ ରଖିଛନ୍ତି । ୨୫ ଅଗଷ୍ଟ ୨୦୧୫ରେ ଉଭୟ ହିନ୍ଦୁ ଓ ଖ୍ରିଷ୍ଟିଆନ ନୀତି ରୀତି ଅନୁସାରେ ବିବାହ କରିଥିଲେ । ୨୦୨୧ରେ ସେମାନଙ୍କ ଯମଜ ସନ୍ତାନ ହୋଇଥିଲା । କବୀର ଓ ଜିଆନ ସେମାନଙ୍କ କୁନି ଭଉଣୀ ନେଇ ବେଶ ଉତ୍ସାହିତ ଅଛନ୍ତି ।
ଦୀନେଶ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟିଂ କୋଚ ହୋଇଥିଲେ । ଦୀପିକା ଭାରତୀୟ ସ୍କ୍ୱାଶ ଇତିହାସର ଏକ ପରିଚିତ ନାମ । ସେ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱର ଟପ ୧୦ରେ ସ୍ଥାନ ପାଇଥିଲେ । ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଦୀପିକା ୨୦୨୩ ଏସିଆଗ ଗେମ୍ସରେ ଭାରତ ପକ୍ଷରୁ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।