ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ଏବଂ ଇରାନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି। ଆମେରିକା ପ୍ରତିଶ୍ରୁତି ଦେଇ ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି। କାହିଁକି ଆରାଘଚି କହିଲେ ‘It’s Over’ ? ଦେଖନ୍ତୁ ଏହି ରିପୋର୍ଟ।
ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଜାରି କରି ଆମେରିକା ବିରୋଧରେ ନିଜର କ୍ରୋଧ ଜାହିର କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ସହ ଆଲୋଚନାର ସବୁ ବାଟ ଏବେ ବନ୍ଦ ହୋଇଯାଇଛି। ଆରାଘଚିଙ୍କ କହିବା ଅନୁଯାୟୀ, ଆମେରିକା ପ୍ରତିଶ୍ରୁତି ଦେଇଥିଲା ଯେ ଇରାନ ଉପରେ କୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନ ହେବ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ୱାଶିଂଟନ୍ ଏହି ପ୍ରତିଶ୍ରୁତି ରକ୍ଷା କରିନାହିଁ।
ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ ପ୍ରକଳ୍ପ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏହାର ଜବାବରେ ଇରାନ ମଧ୍ୟ ପଛକୁ ହଟିନାହିଁ। ଇରାନ ଚେତାବନୀ ଦେଇଛି ଯେ, ଯଦି ଆମେରିକା କୌଣସି ଆକ୍ରମଣ କରେ, ତେବେ ଇରାନ ‘ହୋର୍ମୁଜ୍ ଷ୍ଟ୍ରେଟ୍’ କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ଯାହା ଫଳରେ ବିଶ୍ୱର ତୈଳ ରପ୍ତାନି ଏବଂ ଅର୍ଥନୀତିରେ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେବ ।
ଯୁଦ୍ଧ ଏବେ ଚତୁର୍ଥ ସପ୍ତାହରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷରୁ ମିଳୁଥିବା ଧମକ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଯଦି କୂଟନୀତିର ଦ୍ୱାର ବନ୍ଦ ହୋଇଯାଏ, ତେବେ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ ।