ସୁବର୍ଣ୍ଣପୁର: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ଏବଂ ଅନିୟମିତତା ଅଭିଯୋଗରେ ସୁବର୍ଣ୍ଣପୁରର ଜିଲ୍ଲା ସମବାୟ ଉପନିବନ୍ଧକ (DRCS) ସଞ୍ଜୟ କୁମାର ତ୍ରିପାଠୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମ, ୧୯୬୨ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ତତସହିତ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମ, ୧୯୬୨ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯିବା ସହ ତାଙ୍କର ମୁଖ୍ୟାଳୟ ସମ୍ବଲପୁର DRCS ଅଫିସ୍କୁ ନିର୍ଦ୍ଧାରିତ କରାଯାଇଛି । ନିଲମ୍ବନ ସମୟରେ ସେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ l
ଅନ୍ୟପକ୍ଷରେ, ସୁବର୍ଣ୍ଣପୁର ଡିଭିଜନର ପ୍ରଶାସନିକ କାର୍ଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ନଂ .୪୩୦୬ ମାର୍ଚ୍ଚ ମାସ ୩୧ ତାରିଖରେ ସୋନପୁର ସର୍କଲର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର (ARCS) ଭବାନୀ ଶଙ୍କର ଦାସଙ୍କୁ ସୁବର୍ଣ୍ଣପୁର DRCS ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଦାସ ନିଜ ଦାୟିତ୍ୱ ସହ ଏହି ନୂତନ ଦାୟିତ୍ୱ ମଧ୍ୟ ତୁଲାଇବେ ।