ବିଜାପୁର: ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୫ ଜଣ ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲା ଏସପିଙ୍କ ନିକଟରେ ମଙ୍ଗଳବାର ୧୨ ମହିଳା ମାଓବାଦୀଙ୍କ ସମେତ ମୋଟ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ଏହି ମାଓବାଦୀଙ୍କ ଉପରେ ୧ କୋଟି ୪୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ମାଓବାଦୀ ମାନେ ଏଲଏମଜି, ଏକେ ୪୭, ଏସଏଲଆର, ଇନସାଶ ଭଳି ୯୩ଟି ଅତ୍ୟାଧୁନିକ ବନ୍ଧୁକ ସହ ସେମାନେ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସେହିଭଳି ମାଓବାଦୀ ଇତିହାସରେ ମଙ୍ଗଳବାର ସବୁଠାରୁ ବଡ ମାଓ ଡ଼ମ୍ପ ଠାବ ହୋଇଛି । ଡମ୍ପ ଭିତରୁ ୨ କୋଟି ନଗଦ ଟଙ୍କା ସହ ୭ କେଜି ୨୦ ଗ୍ରାମ ସୁନା ଜବତ ହୋଇଛି । ସୁନାର ବଜାର ମୂଲ୍ୟ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବିଜାପୁର ଏସପି କହିଛନ୍ତି ।
ଏହା ପୂର୍ବରୁ ଡେଡଲାଇନର ଶେଷ ଦିନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ । ସେହିପରି ଦନ୍ତେୱାଡ଼ା ଜିଲ୍ଲାରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନେ ପୁଲିସକୁ ୮ଟି ଏସଏଲଆର ବନ୍ଧୁକ ହସ୍ତାନ୍ତର କରିଛନ୍ତି ।