Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ବେଳେ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିଛନ୍ତି। ମହାରଣା ସେବକ ମାନେ ଏହାକୁ ମରାମତି କରିବା ପରେ ଚାପ ଡଙ୍ଗା ଗୁଡ଼ିକ ପ୍ରସ୍ତୁତ ହେବ। ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଚି ।
ଆସନ୍ତା ଅପ୍ରେଲ ମାସ ୨୦ ତାରିଖ ରେ ପବିତ୍ର ଅକ୍ଷୟ ତୃତୀୟ। ଏହି ଦିନ ମହାପ୍ରଭୂଙ୍କ ରଥ ନିର୍ମାଣ ଶୁଭାରମ୍ଭ ସହ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତ ବର୍ଷ ଚନ୍ଦନ ଯାତ୍ରା ସମାପନ ପରେ ରଖା ଯାଇଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ପାଣି ଭିତରୁ ବାହାର କରାଯାଇଛି।
ପରମ୍ପରା ଅନୁଯାୟୀ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ସମୁଦାୟ ୫ଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି। ଏହି ଡଙ୍ଗା ଗୁଡିକୁ ଖରାରେ ସୁଖାଯିବା ପରେ ପିଚୁ ରାଳ ଦିଆଯାଇ ମରାମତି କରାଯିବ।
ଆସନ୍ତା ଅପ୍ରେଲ ମାସ ୨୦ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା ଭଦ୍ରା ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ। ଏଥି ପାଇଁ ନରେନ୍ଦ୍ର ପୁଷ୍କରିଣୀ ରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସେବାୟତ ମାନେ ବେଶ୍ ଉତ୍ସାହିତ ଅଛନ୍ତି।