Latest Odisha News

BREAKING NEWS

Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ

ଭୁବନେଶ୍ବର : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି ତାହା ଉପରେ ସ୍ପଷ୍ଟୀକରଣ ରଖିଛି । ରେଳବାଇ ପକ୍ଷରୁ କୁହାଯାଇଛି ଯେ ପଲାସା-ଇଚ୍ଛାପୁରମ୍ ସେକ୍ସନ (୫୦ କିଲୋମିଟର) ରେ ୭ଟି ଷ୍ଟେସନ ଯଥା ପଲାସା, ସୁମାଦେବୀ, ମାଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ରହିଛି। ଏହି ସମସ୍ତ ଷ୍ଟେସନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ଏହି ଷ୍ଟେସନଗୁଡ଼ିକ ମଧ୍ୟରୁ କୌଣସିଟି ହେଲେ ଓଡ଼ିଶା ମଧ୍ୟରେ ଅବସ୍ଥିତ ନୁହେଁ। ଏହି ଷ୍ଟେସନଗୁଡ଼ିକ ଛୋଟରୁ ମଧ୍ୟମ ଆକାରର ଷ୍ଟେସନ ଯାହା ମୁଖ୍ୟତଃ ଯାତ୍ରୀ ପରିଚାଳନା କରିଥାଏ। ଏଥି ମଧ୍ୟରୁ କୌଣସିଟି ଏକ ପ୍ରମୁଖ ମାଲ ପରିବହନ ଷ୍ଟେସନ ନୁହେଁ। ତେଣୁ, ପୂର୍ବତଟ ରେଳବାଇର ରାଜସ୍ୱ ପ୍ରଭାବିତ ହେବାର ସମ୍ଭାବନା ନାହିଁ ।

ଷ୍ଟେସନଗୁଡ଼ିକ ଯେଉଁ ଜୋନ୍‍ ଅଧିନରେ ଆସିଲେ ବି ସେହିସବୁ ଷ୍ଟେସନରେ ମାଲ ପରିବହନ ନିରବଚ୍ଛିନ୍ନ ଭାବରେ ଜାରି ରହିବ। ସମସ୍ତ ସୀମାରେଖା ମଧ୍ୟରେ ରେଳ ଚଳାଚଳ ନିରବଚ୍ଛିନ୍ନ ଜାରି ରହିବ । ରେଳ ସେବାରେ କୌଣସି ବ୍ୟାଘାତ ଉପୁଜିବ ନାହିଁ। ପଲାସା-ଭୁବନେଶ୍ୱର, ପଲାସା-କଟକ ଏବଂ ଇଚ୍ଛାପୁରମ-କଟକ ମେମୁ/ଯାତ୍ରୀବାହୀ ସେବା ସମେତ ସମସ୍ତ ବର୍ତ୍ତମାନ ଚଳାଚଳ କରୁଥିବା ସମସ୍ତ ଟ୍ରେନର କାର୍ଯ୍ୟସୂଚୀ, ମାର୍ଗ କିମ୍ବା ଯାତାୟତ କୌଣସି ପରିବର୍ତ୍ତନ ବିନା ଜାରି ରହିବ ।

ବିଶାଖାପାଟନମ୍ ଡିଭିଜନରେ ଯାତ୍ରୀ ସେବାଗୁଡ଼ିକର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏହା ଏକ ବୈଷୟିକ ସଂଶୋଧନ। ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ତଟ ରେଳବାଇ ମଧ୍ୟରେ କର୍ମଚାରୀ ନିୟୋଜନ ସମେତ ସ୍ଥାନାନ୍ତରଣର ପଦ୍ଧତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସମସ୍ତ ରେଳ କର୍ମଚାରୀଙ୍କ ସ୍ୱାର୍ଥ ଏବଂ ସେବା ସର୍ତ୍ତାବଳୀ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।
ଓଡ଼ିଶା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅତୁଟ ରହିଛି। ଓଡ଼ିଶାରେ ରେଳ ନେଟୱାର୍କ ସମ୍ପ୍ରସାରଣ, ଷ୍ଟେସନ ଆଧୁନିକୀକରଣ, ବନ୍ଦେ ଭାରତ ସେବା ଏବଂ ପୂର୍ବତଟ ରେଳବାଇ ଅଧୀନରେ ନବଗଠିତ ରାୟଗଡା ଡିଭିଜନ ଆଦିରେ ରେକର୍ଡ ପୁଞ୍ଜି ବ୍ୟୟ ଏହି ପ୍ରତିବଦ୍ଧତାକୁ ଦର୍ଶାଉଛି ।

Leave A Reply

Your email address will not be published.