ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ପାକିସ୍ତାନର ବ୍ୟାଟ୍ସମ୍ୟାନ ବାବର ଆଜମ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ବିଶ୍ୱରେକର୍ଡ ଭାଙ୍ଗି ଦେଇଛନ୍ତି । ଟି୨୦ରେ ବାବର ୩୩୮ ଇନିଂସରେ ଦ୍ରୁତ ୧୨୦୦୦ ରନ ସଂଗ୍ରହ କରି ଏହି ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ ଗେଲ ୩୪୩ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ । ବିରାଟ କୋହଲି ଓ ଡେଭିଡ ୱାର୍ଣ୍ଣର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । କୋହଲି ୩୬୦ ଓ ୱାର୍ଣ୍ଣର ୩୬୮ ଇନିଂସରେ ୧୨୦୦୦ ରନ କରିଥିଲେ । ପାକିସ୍ତାନ ସୁପର ଲିଗରେ ବାବର ପେଶାୱାର ଜଲମୀ ପକ୍ଷରୁ ଖେଳୁଛନ୍ତି ।
କରାଚୀ କିଙ୍ଗସ ବିପକ୍ଷ ମ୍ୟାଚରେ ବାବର ୫୧ ବଲରେ ୮୭ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୧୦ ଚୌକା ଓ ୨ ଛକା ମାରିଥିଲେ । ଟି୨୦ରେ ଭଲ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ବାବରଙ୍କୁ କ୍ରିକେଟର ଏହି ଫର୍ମାଟର ଏକ ଭଲ ବ୍ୟାଟ୍ସମ୍ୟାନ ଭାବେ ଗ୍ରହଣ କରାଯାଏ ନାହିଁ । ବାବର କିନ୍ତୁ ପ୍ରଦର୍ଶନ ମାଧ୍ୟମରେ ବାରମ୍ବାର ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହେଉଛନ୍ତି ।