ଭୁବନେଶ୍ବର: CBSE ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ଦେଖିପାରିବେ। ଚଳିତ ବର୍ଷ ୨୬ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। CBSE ଅଫିସିଆଲ୍ cbse.gov.in, results.cbse.nic.in, results.digilocker.gov.in ଓ UMANG Appରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୭୦ % । ଗତବର୍ଷ ଥିଲା ୯୩.୬୬% । ଗତବର୍ଷ ତୁଳନାରେ ଚଳିତବର୍ଷ ୦.୦୪ % ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଚଳିତବର୍ଷ ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ୧ଲକ୍ଷ ପରୀକ୍ଷାର୍ଥୀ ଅଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ (୨୦୨୫-୨୬)ରେ ୧୭ ଫେବୃଆରି ୨୭ ଫେବୃଆରି ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ ହଜାର ୭୭୩ଜଣ ଛାତ୍ରୀ ଥିଲେ। ତେବେ ୨୪ଲକ୍ଷ ୭୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
CBSE ଘୋଷଣା କରିଛି ଯେ ଏହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଦ୍ୱିତୀୟ ପରୀକ୍ଷା କରିବ। ପ୍ରଥମ ଥର ପାଇଁ, ଏହି ବର୍ଷଠାରୁ ଦଶମ ଶ୍ରେଣୀ ବୋର୍ଡ ପାଇଁ ଏହି ଦ୍ୱିତୀୟ ପରୀକ୍ଷା ଆୟୋଜନ କରାଯାଉଛି। ରିପୋର୍ଟ ଅନୁଯାୟୀ, CBSE ଦଶମ ଶ୍ରେଣୀ ବୋର୍ଡ ଦ୍ୱିତୀୟ ପରୀକ୍ଷା ୧୫ ମେରୁ ୧ ଜୁନ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ପ୍ରଥମ ଦଶମ ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ସର୍ବାଧିକ ତିନୋଟି ବିଷୟରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ ।
ସେପଟେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।