ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତାଙ୍କ ଚୁକ୍ତିର ନବୀକରଣ କରାଯାଇଛି । ସେ ଏବେ ୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ । ତାଙ୍କ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବିସିସିିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୨୩ରେ ତାଙ୍କୁ ୨ ବର୍ଷ ପାଇଁ ବିସିସିଆଇ ଦାୟିିତ୍ୱ ପ୍ରଦାନ କରିଥିଲା । ତାଙ୍କ କାର୍ଯ୍ୟକାଳରେ ଭାରତ ୨ଟି ବିଶ୍ୱକପ ଓ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଜିତିଛି । ଏହା ବ୍ୟତୀତ ଓଭରାଲ ୪ଟି ଆଇସିସି ଟୁର୍ଣ୍ଣାମେଂଟର ଫାଇନାଲରେ ସ୍ଥାନ ପାଇଥିଲା ।
ଅଗରକର ଟିମକୁ ସନ୍ତୁଳିତ କରିବା ପାଇଁ କେତେକ କଠୋର ନିଷ୍ପତି ନେଇଥିଲେ । ବିରାଟ କୋହଲି, ରୋହିତ ଶର୍ମା ଏବଂ ମହମ୍ମଦ ସାମୀଙ୍କୁ ସେ ଧୀରେ ଧୀରେ ଟେଷ୍ଟ ଏବଂ ଟି୨୦ରୁ ହଟେଇବା ପାଇଁ ପରୋକ୍ଷରେ ଚାପ ପକାଇଥିଲେ । ସେହିପରି ୨୦୨୬ ଟି୨୦ ବିଶ୍ୱକପ ଟିମରେ ଶୁଭମନ ଗିଲଙ୍କୁ ସ୍ଥାନ ନ ଦେବା ଏବଂ ଈଶାନ କିଶାନଙ୍କୁ ସୁଯୋଗ ଦେବା ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା । ଏବେ ତାଙ୍କୁ ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି କରିବା ସହଜ ହେବ । ଅଗରକର ଭାରତ ପକ୍ଷରୁ ୩୪୯ ଆନ୍ତର୍ଜାତୀୟ ୱିକେଟ ନେଇଛନ୍ତି । ସେ ଟେଷ୍ଟରେ ୫୮, ଦିିନିକିଆରେ ୨୮୮ ଓ ଟି୨୦ରେ ୩ଟି ୱିକେଟ ନେଇଛନ୍ତି ।