Latest Odisha News

BREAKING NEWS

ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା; ଆକ୍ରମଣକାରୀ ଫେରାର

ନୂଆଦିଲ୍ଲୀ:ଇଟାଲୀରେ ଦୁଇ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଛି। ଇଟାଲୀର ଏକ ଗୁରୁଦ୍ୱାରରୁ ବାହାରିବା ସମୟରେ ଦୁଇଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇଟାଲୀର ବର୍ଗାମୋ ପ୍ରଦେଶର କୋଭୋ ସହରରେ ବୈଶାଖୀ ଉତ୍ସବ ସମୟରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀ ଦୁଇ ଭାରତୀୟଙ୍କୁ ଗୁରୁଦ୍ୱାରରୁ ବାହାରକୁ ଆସିବା ସମୟରେ ଗୁଳି କରି ହତ୍ୟାକାରୀମାନେ ପଳାଇ ଯାଇଥିବା ଜଣାପଡ଼ିଛି ।

ମୃତକଙ୍କ ନାମ ରାଜିନ୍ଦର ସିଂହ (୪୮) ଏବଂ ଗୁରମିତ ସିଂହ (୪୮)। ରାଜିନ୍ଦର ସିଂହ କୋଭୋରେ ରହୁଥିଲେ, ଗୁରମିତ ସିଂହ ନିକଟସ୍ଥ ଆଗ୍ନାଡେଲୋ ଅଞ୍ଚଳର ବାସିନ୍ଦା ଥିଲେ। ଆକ୍ରମଣକାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ତା’ପରେ ଏକ କାରରେ ପଳାଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରୁ ପ୍ରାୟ ୧୦ଟି ଖାଲି କାର୍ଟ୍ରିଜ୍ ଜବତ କରିଛି।

ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପୂର୍ବ ଯୋଜନାବଦ୍ଧ ଥିଲା। ପ୍ରାରମ୍ଭିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଟାର୍ଗେଟେଡ୍ କିଲିଂ ଥିଲା।

ଏହି ଘଟଣାରେ ତୃତୀୟ ବ୍ୟକ୍ତି ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

କୋଭୋର ମେୟର ଏହି ଘଟଣାରେ ଚକିତ ଏବଂ ମର୍ମାହତ ହୋଇଛନ୍ତି। ସେ କହିଛନ୍ତି ଯେ ଶିଖ ସମ୍ପ୍ରଦାୟ ଗତ ପନ୍ଦର ବର୍ଷ ଧରି ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ରହୁଛନ୍ତି ଏବଂ ଏପରି ଘଟଣା ପୂର୍ବରୁ କେବେ ଘଟିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍ ଖୋଳତାଡ କରାଯାଉଛି, ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଗୁଳିଗୁଡିକ ଯାଞ୍ଚ କରାଯାଉଛି।

 

 

Leave A Reply

Your email address will not be published.