ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ଉଦ୍ଧାର କରାଯାଇଛି । ମୋଟ୍ ୧୧୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇ ‘ମୋବାଇଲ୍ ହ୍ୟାଣ୍ଡଓଭର ମେଳା’ ମାଧ୍ୟମରେ ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି ।
ଅଇଁଠାପାଲି ଥାନାରୁ ସର୍ବାଧିକ ୨୫ଟି, ବୁର୍ଲା ଥାନାରୁ ୧୯ଟି, ଟାଉନ୍ ଥାନାରୁ ୧୨ଟି, କୁଚିଣ୍ଡା ଥାନାରୁ ୮ଟି ଏବଂ ଧନୁପାଲି ଥାନାରୁ ୬ଟି ମୋବାଇଲ୍ ସମେତ ଅନ୍ୟାନ୍ୟ ଥାନାରୁ ମଧ୍ୟ ଫୋନ୍ ଉଦ୍ଧାର ହୋଇଛି।
ପୋଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୌଣସି ଚୋରି ମାମଲା ନୁହେଁ ବରଂ ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁଁ ହଜିଯାଇଥିଲା। ସେଥିପାଇଁ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ। ସାଇବର ପୋଲିସ ଷ୍ଟେସନ ଏବଂ ବୈଷୟିକ ଟିମ୍ ସହାୟତାରେ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ସଫଳତା ମିଳିଛି।
ଏଥିସହ ପୁଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ମୋବାଇଲ୍ ହଜିଯାଏ, ତେବେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରନ୍ତୁ । ଫଳରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।