ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ବଳରେ ଶ୍ରେୟାଶ ଆୟାର ଧୀରେ ଧୀରେ ଚୟନ କମିଟିର ବିଶ୍ୱାସ ଜିତି ପାରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଚୟନ କମିଟି ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବିଶ୍ୱାସ ହରାଇଛି । ଚଳିତ ଆଇପିଏଲରେ ଏବେ ଶ୍ରେୟାଶ ଆୟାରଙ୍କ ପ୍ରଦର୍ଶନ ସେମାନଙ୍କୁ ପ୍ରଭାବିତ କରିଛି । ପରବର୍ତୀ ଟି୨୦ ବିଶ୍ୱକପ ୨୦୨୮ରେ ଖେଳାଯିବ । ବୋର୍ଡ ଏବେ ଅଧିନାୟକ ଦାୟିତ୍ୱ ଶ୍ରେୟାଶଙ୍କୁ ଦେବା ପାଇଁ ବିଚାର କରୁଛି । ଫର୍ମ ଏବଂ ବୟସ ସୂର୍ଯ୍ୟକୁମାରଙ୍କୁ ବ୍ୟାକଫୁଟକୁ ଠେଲିବା ଆରମ୍ଭ କରିଛି । ଶ୍ରେୟାଶଙ୍କ ନେତୃତ୍ୱରେ ପଞ୍ଜାବ ଭଲ ପ୍ରଦର୍ଶନ ଜାରୀ ରଖିଛି । ୨୦୨୩ ପରଠାରୁ ଶ୍ରେୟାଶ ଭାରତ ପକ୍ଷରୁ କୌଣସି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ନାହାନ୍ତି । ଏବେ ବି ସେ ଦଳର ନିୟମିତ ସଦସ୍ୟ ନାହାନ୍ତି ।
ବିସିସିଆଇ ଏବେ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବ୍ୟସ୍ତ ରହିଛି । ଏହା ପରେ ୨୦୨୮ ଟି୨୦ ବିଶ୍ୱକପ ପାଇଁ ମନୋନିବେଶ କରିବ । ୨୦୧୮ ଶ୍ରେୟାଶ ଦିଲ୍ଲୀ ଡେଭାରଡେଭିଲ୍ସର ନେତ୍ୱତ୍ୱ ନେଇଥିଲେ । ଏହା ପରେ ତାଙ୍କ ନେତୃତ୍ୱରେ ୨୦୨୦ ଓ ୨୦୨୨ ତାଙ୍କ ନେତୃତ୍ୱରେ ଦଳ ଫାଇନାଲରେ ପ୍ରବେଶ କରିଥିଲା । ୨୦୨୪ରେ ସେ କେକେଆରରେ ଯୋଗ ଦେଇଥିଲେ । କେକେଆର ତାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା । ଏବେ ସେ ପଞ୍ଜାବ କିଙ୍ଗସର ଭାଗ୍ୟ ସଜାଡୁଛନ୍ତି । ଚଳିତ ସିଜନରେ ପଞ୍ଜାବ ଏ ପର୍ଯ୍ୟନ୍ତ ଏକମାତ୍ର ଟିମ ଭାବେ ଅପରାଜେୟ ରହିଛି । ଯଦି ପଞ୍ଜାବ ଟାଇଟଲ ହାସଲ କରେ ତେବେ ଶ୍ରେୟାଶଙ୍କ ଭାଗ୍ୟ ଖୋଲିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଛି ।