ଭୁବନେଶ୍ୱର: ବଦଳିପାରେ ପୌରସଂସ୍ଥା ନିର୍ବାଚନ ଢାଞ୍ଚା। ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ ହୋଇପାରେ ପରୋକ୍ଷ ନିର୍ବାଚନ। ସୂଚନା ଅନୁଯାୟୀ, ୨୦୨୨ରେ ରାଜ୍ୟର ସମସ୍ତ ପୌର ସଂସ୍ଥାରେ ଅର୍ଥାତ୍ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ମେୟର ଏବଂ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା। ସ୍ଥାନୀୟ ମତ ଦାତାମାନେ ନିଜ ପସନ୍ଦର ମେୟର/ପୌରାଧ୍ୟକ୍ଷ ନିର୍ବାଚିତ କରିଥିଲେ, କିନ୍ତୁ ଆସନ୍ତା ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ ପରୋକ୍ଷ ନିର୍ବାଚନ ହେବ।
ଅର୍ଥାତ୍ ନିର୍ବାଚିତ କର୍ପୋରେଟରମାନେ ମେୟର ଏବଂ କାଉନ୍ସିଲରମାନେ ପୌରାଧ୍ୟକ୍ଷ ବାଛିବେ। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ୨୦୦୩ ଏବଂ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍ ଆକ୍ଟ, ୨୦୦୩ରେ ସଂଶୋଧନ ଅଣାଯିବ। ୨୦୧୮ ମସିହାରେ ଏହି ଦୁଇଟି ଆଇନରେ ସଂଶୋଧନ ଅଣାଯାଇ ପୌରସଂସ୍ଥାରେ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଲାଗୁ ହୋଇଥିଲେ ହେଁ ଏହାକୁ ପୁଣି ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଜେପିର ବରିଷ୍ଠ ନେତାମାନଙ୍କ ବୈଠକରେ ଏନେଇ ଦୁଇରୁ ତିନି ପର୍ୟ୍ୟାୟରେ ଆଲୋଚନା ସରିଛି। ୨୦୨୭ ପୌର ନିର୍ବାଚନରେ ବହୁ ପୌର ସଂସ୍ଥାରେ ୱାର୍ଡ ସଂଖ୍ୟା ବଢ଼ିବାକୁ ଥିବାବେଳେ ସୀମା ପୁନଃନିର୍ଦ୍ଧାରଣ ହେବ। ଏହାସହ ସଂରକ୍ଷଣ ବ୍ୟବସ୍ଥା ବି ବଦଳିବ। ଏଥିପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନ (ସଂଶୋଧିତ) ନିୟମ, ୨୦୨୨ ଏବଂ ଓଡ଼ିଶା ମ୍ୟୁନିସିପାଲ ଆଇନ, ୧୯୫୦ରେ ପରିବର୍ତ୍ତନ କରିବାକୁ ଆଲୋଚନା ଚାଲିଛି । ରାଜନୈତିକ ପରିସ୍ଥିତିକୁ ନଜରରେ ରଖି ଯେପରି ଅଧିକରୁ ଅଧିକ ପୌରସଂସ୍ଥାକୁ ସରକାରୀ ଦଳ ନିଜ କବ୍ଜାରେ ରଖିବ, ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନଗର ଉନ୍ନୟନ ବିଭାଗକୁ କୁହାଯାଇଥିବାବେଳେ ଏହାକୁ ଆଇନ ବିଭାଗକୁ ପଠାଯିବ। ଏହାସହ କ୍ୟାବିନେଟ୍ରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ବିଧାନସଭାରେ ଏହା ପାରିତ କରିବାକୁ ସରକାରୀ ଦଳ ପକ୍ଷରୁ ଯୋଜନା ହୋଇଛି ।