Latest Odisha News

BREAKING NEWS

ଖରାଛୁଟିରେ ହ୍ୱାଟ୍ସଆପ୍‌ରେ ଚାଲିବ ପାଠପଢ଼ା: ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ଲାଗୁ କଲା ‘ଓସେପା’

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସରକାରୀ ସ୍କୁଲଗୁଡ଼ିକରେ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ତେବେ ଦୀର୍ଘ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ସେମାନେ ଶିକ୍ଷା ସହ ଯୋଡ଼ି ହୋଇ ରହିବେ, ସେଥିପାଇଁ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓସେପା’ର ନିର୍ଦ୍ଦେଶ ଅନୁଯାୟୀ, ଚଳିତ ଗ୍ରୀଷ୍ମାବକାଶରେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ୍ ପିଲାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଶିକ୍ଷାଦାନ କରାଯିବ।

ଓସେପା ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ଆସନ୍ତାକାଲି (ଶନିବାର) ସୁଦ୍ଧା ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଭିତ୍ତିକ (Grade-wise) ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପ୍ ସୃଷ୍ଟି କରାଯିବ। ଏହି ଗ୍ରୁପ୍ ମାଧ୍ୟମରେ ସ୍କୁଲ୍ କର୍ତ୍ତୃପକ୍ଷ ସିଧାସଳଖ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହ ଯୋଡ଼ି ହେବେ।

ପିଲାମାନେ କେବଳ ବହି ପଢ଼ିବେ ନାହିଁ, ବରଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ହ୍ୱାଟ୍ସଆପ୍‌ରେ ପ୍ରଦାନ କରାଯିବ। ଏହା ସହିତ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଏବଂ ବିଷୟଭିତ୍ତିକ ସ୍ୱତନ୍ତ୍ର ଆସାଇନମେଣ୍ଟ ସିଟ୍ ମଧ୍ୟ ସେୟାର କରାଯିବ।

ସ୍କୁଲର ପ୍ରଧାନଶିକ୍ଷକମାନେ ନିଶ୍ଚିତ କରିବେ ଯେ ପ୍ରତ୍ୟେକ ଶିକ୍ଷକ ନିଜ ନିଜ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିବେ। ପିଲାମାନେ ଘରେ ରହି ପାଠ ପଢ଼ିବା ସମୟରେ ଯଦି କୌଣସି ସନ୍ଦେହ ଉପୁଜେ, ତେବେ ଟେଲିଫୋନ୍ କିମ୍ବା ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଶିକ୍ଷକମାନେ ତାହା ଦୂର କରିବେ।

ପ୍ରତିବର୍ଷ ସ୍କୁଲଗୁଡ଼ିକ ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କୁ ଖରାଛୁଟି ପାଠ ପ୍ରଦାନ କରିଥାନ୍ତି। ମାତ୍ର ଚଳିତ ବର୍ଷର ‘ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ୨୦୨୬’ କୁ ଏକ ରଣନୈତିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି, ପିଲାମାନେ ଖରାଛୁଟିର ମଜା ଉଠାଇବା ସହିତ ଶିକ୍ଷା କ୍ଷେତ୍ରରେ ଯେପରି ପଛେଇ ନଯାଆନ୍ତି।

Leave A Reply

Your email address will not be published.