ଶଙ୍ଖ ଶିବିରରେ ବଢ଼ୁଛି ଅସନ୍ତୋଷ: ଉତ୍ତର ଓଡ଼ିଶା ରାଜନୀତିରେ ନୂଆ ସମୀକରଣ, ବିଜେଡିର କ୍ଷତିରୁ ଫାଇଦା ଉଠାଇବ କି ପଦ୍ମ ଦଳ?
ଭୁବନେଶ୍ୱର: ବଦଳୁଛି ଭଦ୍ରକ ରାଜନୀତିର ପାଣିପାଗ। ଗୋଟିଏ ସମୟରେ ବିଜୁ ଜନତା ଦଳ (ବିଜେଡି) ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଭଦ୍ରକ ଜିଲ୍ଲାରେ ଏବେ ବଡ଼ ଧରଣର ରାଜନୈତିକ ଭୂକମ୍ପ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ ସମର୍ଥକ ଓ ପଞ୍ଚାୟତ ସ୍ତରୀୟ ନେତାଙ୍କ ସାମୂହିକ ଇସ୍ତଫା କେବଳ ଭଦ୍ରକ ନୁହେଁ, ବରଂ ସମଗ୍ର ଉତ୍ତର ଓଡ଼ିଶାରେ ଶଙ୍ଖ ଶିବିରର ସ୍ଥିତିକୁ ଦୋହଲାଇ ଦେଇଛି। ଏହି ଘଟଣା ଏବେ ଏକ ନୂଆ ରାଜନୈତିକ ସମୀକରଣର ସୂତ୍ରପାତ କରିଛି।
ଏହି ବଡ଼ ଧରଣର ବିଦ୍ରୋହ ଦିନକର ନୁହେଁ, ବରଂ ଦୀର୍ଘ ଦିନର ଲାଗି ରହିଥିବା ଅସନ୍ତୋଷର ବିସ୍ଫୋରଣ। ଦଳୀୟ ସୂତ୍ର ଓ ରାଜନୈତିକ ସମୀକ୍ଷକଙ୍କ ମତରେ, ଗତ କିଛି ବର୍ଷ ଧରି ଭଦ୍ରକ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଥିଲା। ନିଜ ଅଞ୍ଚଳରେ ଏକ ସୁଦୃଢ଼ ସଂଗଠନ ତିଆରି କରିଥିବା ମଣ୍ଡଳ ଦମ୍ପତିଙ୍କୁ କ୍ରମାଗତ ଭାବେ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିଲା। ସ୍ଥାନୀୟ ନେତୃତ୍ୱ ସହ ତାଳମେଳ ଅଭାବ ଏବଂ ହାଇକମାଣ୍ଡଙ୍କ ପାଖରେ ନିଜ କଥା ପହଞ୍ଚାଇବାରେ ବିଫଳ ହେବା ପରେ, ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।
ଏତେ ବଡ଼ ସଂଖ୍ୟାରେ ତୃଣମୂଳ ସ୍ତରର ନେତା, ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଛାଡ଼ିବା ଖବର ଭୁବନେଶ୍ୱରସ୍ଥିତ ‘ଶଙ୍ଖ ଭବନ’ରେ ଚିନ୍ତା ବଢ଼ାଇଛି। ବିଜେଡି ଏବେ ଏକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ‘ରାଜନୈତିକ ରକ୍ତସ୍ରାବ’ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ସ୍ଥିତି ଅନୁଧ୍ୟାନ କରିବା ଏବଂ ଅନ୍ୟ ଅସନ୍ତୁଷ୍ଟ ନେତାଙ୍କୁ ବୁଝାସୁଝା କରି ଦଳରେ ରଖିବା ପାଇଁ ଦଳର ହାଇକମାଣ୍ଡ କିଛି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ତୁରନ୍ତ ଭଦ୍ରକ ପଠାଇବା ନେଇ କସରତ ଆରମ୍ଭ କରିଦେଇଛନ୍ତି।
ବିଜେଡିର ଏହି ଆଭ୍ୟନ୍ତରୀଣ ସଙ୍କଟ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ରଣନୀତି ପ୍ରସ୍ତୁତ କରୁଛି। ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ, ଦଳ ଛାଡ଼ିଥିବା ମଣ୍ଡଳ ଦମ୍ପତି ଓ ତାଙ୍କ ବିଶାଳ ସମର୍ଥକ ଗୋଷ୍ଠୀ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ସାମିଲ ହେବାର ପ୍ରବଳ ସମ୍ଭାବନା ରହିଛି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଯଦି ଏହି ଯୋଗଦାନ ସମ୍ପନ୍ନ ହୁଏ, ତେବେ ତାହା ଭଦ୍ରକରେ ବିଜେପି ପାଇଁ ‘ସଞ୍ଜୀବନୀ’ ସଦୃଶ କାମ କରିବ। ଏହା ଫଳରେ ଜିଲ୍ଲାରେ ବିଜେଡିର ଏକଚାଟିଆ ଆଧିପତ୍ୟ ଶେଷ ହେବା ସହ ବିଜେପି ଏକ ଶକ୍ତିଶାଳୀ ବିକଳ୍ପ ଭାବେ ଉଭା ହେବ।
ବଡ଼ କଥା ହେଉଛି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଡ଼ ଭଦ୍ରକ। ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ନିଜ ଜିଲ୍ଲାରେ ଶକ୍ତିଶାଳୀ କରୁଥିବା ସୂଚନା ରହିଛି।