ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଅକାଳ ବୃଦ୍ଧାବସ୍ଥାକୁ ରୋକିବା ଏବଂ ଦୀର୍ଘ ଜୀବନ ବଞ୍ଚିବାକୁ ଚାହାଁନ୍ତି। ଏବେ ବୈଜ୍ଞାନିକମାନେ ଖୁବ୍ ଶୀଘ୍ର ଏହି ଉଦ୍ଦେଶ୍ୟରେ ଏକ ଔଷଧ ବିକଶିତ କରିପାରନ୍ତି।
ଋଷ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜିନ୍ ଥେରାପି ଔଷଧ ବିକଶିତ କରୁଛନ୍ତି, ଯାହା ବାର୍ଦ୍ଧକ୍ୟକୁ ରୋକି ପାରିବ। ଏହି ଦାବି କରିଥିଲେ ଋଷର ବିଜ୍ଞାନ ଏବଂ ଶିକ୍ଷା ମନ୍ତ୍ରୀ ଡେନିସ୍ ସେକିରିନ୍ସ୍କି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂତନ ବାର୍ଦ୍ଧକ୍ୟ ବିରୋଧୀ ଔଷଧ ପ୍ରତି ବହୁତ ଆଗ୍ରହୀ। ସେ ଗତ ନଭେମ୍ବରରେ ଏକ AI ସମ୍ମିଳନୀରେ କହିଥିଲେ ଯେ ମଣିଷ ୧୫୦ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ।
ଏପଟେ ଋଷ ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ହେଉଥିବା ଔଷଧ ରିସେପ୍ଟର ଫର୍ ଆଡଭାନ୍ସଡ୍ ଗ୍ଲାଇକେସନ୍ ଏଣ୍ଡପ୍ରଡକ୍ଟସ୍ (RAGE) ନାମକ ଜିନ୍ କୁ ଅବରୋଧ କରିବ। ଏହି ଜିନ୍ ବୃଦ୍ଧାବସ୍ଥା କୋଷ ପାଇଁ ଦାୟୀ। ଡେନିସ୍ ସେକିରିନ୍ସ୍କି କହିଥିଲେ ଯେ ଯେତେବେଳେ ଏହି ଜିନ୍ ସକ୍ରିୟ ହୁଏ, କୋଷଗୁଡିକ ବୟସ୍କ ହୋଇଯାଏ। ଯଦି ଏହାକୁ ବାଧା ଦିଆଯାଏ ତେବେ କୋଷଗୁଡିକର ଯୌବନ ଲମ୍ବା ହୋଇପାରେ।
ଋଷ ବୈଜ୍ଞାନିକମାନେ ଜିନ୍ ଥେରାପି ମାଧ୍ୟମରେ ଏହି ରିସେପ୍ଟରକୁ ଅବରୋଧ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି ରିସେପ୍ଟରକୁ ଅବରୋଧ କରାଯାଏ ତେବେ କୋଷଗୁଡିକ ଅଧିକ ସମୟ ପାଇଁ ଯୁବାବସ୍ଥାରେ ରହିବେ। ସେକିରିନ୍ସ୍କି ଦୀର୍ଘଜୀବୀ ମେଡିସିନ୍ ଫୋରମରେ ଏହି ଦାବି କରିଛନ୍ତି। ଏହି ଔଷଧ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ଅଫ୍ ଏଜିଂ ଆଣ୍ଡ ମେଡିସିନ୍ ରେ ବିକଶିତ କରାଯାଉଛି। ଯଦିଓ ଇନଷ୍ଟିଚ୍ୟୁଟ୍ ଏପର୍ଯ୍ୟନ୍ତ ଔଷଧ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିନାହିଁ।