ଭୁବନେଶ୍ୱର: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଂରକ୍ଷଣ ବିଲ୍) ଆଲୋଚନା ନେଇ ଏବେ ରାଜନୈତିକ ବୟାନବାଜି ତୀବ୍ର ରୂପ ନେଇଛି। ବିଧାନସଭାରେ ଏହି ସ୍ପର୍ଶକାତର ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନେଇ ସରକାରୀ ପ୍ରସ୍ତାବ ଆସିଥିବା ବେଳେ, ଏହାକୁ ନେଇ ଶାସକ ବିଜେପି ଓ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ଯୁଦ୍ଧ।
ଗତକାଲି ବିଜେଡି ବିଧାୟକ ଅରୁଣ ସାହୁ ଏହି ସ୍ୱତନ୍ତ୍ର ଅଧିବେଶନକୁ ଏକ ‘ଡ୍ରାମା’ ବୋଲି ଆକ୍ଷେପ କରିବା ପରେ, ଆଜି ତାର କଡ଼ା ଜବାବ ରଖିଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସହ ଏକ ବଡ଼ ପ୍ରଶ୍ନ କରିଛନ୍ତି ଯେ, ମହିଳା ସଶକ୍ତୀକରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଡରୁଛନ୍ତି କାହିଁକି?
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, “ନାରୀ ଶକ୍ତି ବନ୍ଦନ ଅଧିନିୟମ ହେଉଛି ଭାରତୀୟ ରାଜନୀତିରେ ଏକ ଯୁଗାନ୍ତକାରୀ ବିଲ୍। ଏହା ମାଧ୍ୟମରେ ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ-ତୃତୀୟାଂଶ (୩୩%) ସ୍ଥାନ ସଂରକ୍ଷିତ ହୋଇପାରିଥାନ୍ତା। କିନ୍ତୁ ବିଧାନସଭାରେ ଏହି ବିଲ୍ ଉପରେ ଖୋଲାଖୋଲି ଆଲୋଚନା କରିବାକୁ ବିରୋଧୀ ଦଳଗୁଡ଼ିକ କାହିଁକି ପଛଘୁଞ୍ଚା ଦେଉଛନ୍ତି? ସଂସଦରେ ଯାହା ଘଟିଲା, ସେ ନେଇ ବିଧାନସଭାରେ ବିତର୍କ ହେଉ। ବିରୋଧୀ ନିଜର ଷ୍ଟାଣ୍ଡ୍ ସ୍ପଷ୍ଟ ରଖିବା ଦରକାର।”
କଂଗ୍ରେସ ଏବଂ ବିଜେଡି ଉପରେ ବର୍ଷିବା ସହ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀମାନେ ଜାଣିଶୁଣି ଏହି ମହିଳା ବିଲ୍କୁ ଧରାଶାୟୀ କରିଛନ୍ତି। “ସେମାନଙ୍କର ଅସହଯୋଗ ଯୋଗୁଁ ହିଁ ବିଲ୍ଟି କାଟ୍ ଖାଇଲା। ସ୍ୱତନ୍ତ୍ର ଅଧିବେଶନରେ ଆମେ ଏ ନେଇ ଆମର ପକ୍ଷ ରଖିବୁ। ଯଦି ବିରୋଧୀମାନେ ଠିକ୍ ଅଛନ୍ତି, ତେବେ ତର୍କ କରିବାକୁ ଡରୁଛନ୍ତି କାହିଁକି? ଆଲୋଚନା ହେଲେ ଓଡ଼ିଶାବାସୀ ସ୍ପଷ୍ଟ ଭାବେ ଜାଣିବେ ଯେ ମହିଳାଙ୍କ ଅଧିକାରକୁ ଧୂଳିସାତ୍ କରିବାରେ ପ୍ରକୃତ ଅପରାଧୀ କିଏ। ଇତିହାସ ଏମାନଙ୍କୁ କେବେ କ୍ଷମା କରିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।”
ଉଲ୍ଲେଖଯୋଗ୍ୟ ଯେ, ମହିଳାଙ୍କ ଭୂମିକାକୁ ନେଇ ଡକାଯାଇଥିବା ଏହି ସ୍ୱତନ୍ତ୍ର ଅଧିବେଶନକୁ ଗତକାଲି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କଟାକ୍ଷ କରିଥିଲେ। ଏହାକୁ ଏକ ‘ଡ୍ରାମା’ ଆଖ୍ୟା ଦେଇ ଶାସକ ଦଳ କେବଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ବିଜେପିର ଆଜିର ପାଲଟା ଆକ୍ରମଣ ପରେ ସ୍ପଷ୍ଟ ହୋଇଯାଇଛି ଯେ, ଆଗାମୀ ବିଧାନସଭା ଅଧିବେଶନରେ ‘ମହିଳା ବିଲ୍’ ପ୍ରସଙ୍ଗ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଏକ ବଡ଼ ରାଜନୈତିକ ଅସ୍ତ୍ର ପାଲଟିବ ଏବଂ ଏହାକୁ ନେଇ ଗୃହ ସରଗରମ ରହିବ।