Latest Odisha News

BREAKING NEWS

ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ

ଇକ୍ୱାଡର: ଇକ୍ୱାଡରର ଏକ ଚର୍ଚ୍ଚରେ ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଲାଇଭ୍ ପ୍ରସାରଣ ହେଉଥିବା ପ୍ରାର୍ଥନା ସଭା ସମୟରେ ଚର୍ଚ୍ଚ କାନ୍ଥରେ ଥିବା ଏକ ବଡ଼ ଏବଂ ଭାରୀ କାଠ (ଯୀଶୁଖ୍ରୀଷ୍ଟଙ୍କ ପ୍ରତିମା) ହଠାତ୍ ଭାଙ୍ଗି ପାଦ୍ରୀଙ୍କ ଉପରକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ପାଦ୍ରୀ ଫାଦର ପାଟ୍ରିସିଓ ଆଲଫ୍ରେଡୋ ସାଞ୍ଚେଜ୍ ମୋଲିନାରି ଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ପାଦ୍ରୀ ଉପଦେଶ ବାଣୀ ଦେଇ କହିଥିଲେ ଯେ,

“ଆମେ ସମସ୍ତେ ମରିଯିବା।” ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ ବାକ୍ୟ ହେବ ବୋଲି

 

ରିପୋର୍ଟ ଅନୁଯାୟୀ, ଏହି ଅଘଟଣଟି ନୂଆସେନୋରା କ୍ୟାଥୋଲିକ୍ ଚର୍ଚ୍ଚ ପରିସରରେ ଘଟିଛି। ଘଟଣା ସମୟରେ ଧର୍ମାନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ଲାଇଭ୍ ପ୍ରସାରଣ କରାଯାଉଥିବାରୁ ଏହି ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପ୍ରାର୍ଥନା ଚାଲିଥିବା ବେଳେ ହଠାତ୍ କାନ୍ଥରୁ ଓହଳି ରହିଥିବା ଭାରୀ କାଠ ଖସିପଡ଼ିବାରୁ ଫାଦର ପାଟ୍ରିସିଓ ସେହିଠାରେ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ତୁରନ୍ତ ଉପସ୍ଥିତ ଶ୍ରଦ୍ଧାଳୁ ଏବଂ ସହଯୋଗୀମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲେ, କିନ୍ତୁ ଗୁରୁତର ଆଘାତ କାରଣରୁ ତାଙ୍କର ପ୍ରାଣହାନୀ ଘଟିଥିଲା। ଏହି ଆକସ୍ମିକ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ବିଶ୍ୱବ୍ୟାପୀ କ୍ୟାଥୋଲିକ୍ ସମ୍ପ୍ରଦାୟ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏହି ଦୁର୍ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ଏବଂ କେଉଁ ବୈଷୟିକ ତ୍ରୁଟି ଯୋଗୁଁ ଏତେ ଭାରୀ କାଠ ପ୍ରତିମାଟି କାନ୍ଥରୁ ଖସିପଡ଼ିଲା, ସେ ନେଇ ଛାନ୍‌ଭିନ୍ ଚାଲିଛି। ଚର୍ଚ୍ଚ ପ୍ରଶାସନ, ଶ୍ରଦ୍ଧାଳୁ ଏବଂ ବିଭିନ୍ନ ସାମାଜିକ ସଂଗଠନ ପାଦ୍ରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.