କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପଶି ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣିରୁ ମୃତଦେହ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା । ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘‘ଦାନ ମାଝୀଙ୍କ ପରେ ଏହା ରାଜ୍ୟରେ ଦ୍ବିତୀୟ ଘଟଣା। ଏମିତି ଘଟଣା ଆଗକୁ ନଘଟୁ।’’ ସେ ଆହୁରି କହିଛନ୍ତି, ‘‘ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ, ଯେମିତି ଆଉ କେହି ଏମିତି କରିବା ପାଇଁ ସାହସ ନକରିବ । ଜିଲ୍ଲାପାଳ ଏଘଟଣାରେ ତଦନ୍ତ କରିଛନ୍ତି, ଟଙ୍କା ପାଇଲେଣି । ଏମିତି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି।’’ ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଖବର ମୁତାବକ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡିଆନାଳି ଗାଁର ଜିତୁ ମୁଣ୍ଡା ଦୁଇ ଦିନ ପୂର୍ବରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଯାହା ନାଁରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ । ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ । ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପୋତା ଯାଇଥିବା ଭଉଣୀର ମୃତଦେହକୁ ଖୋଳିଥିଲେ ଓ ତାକୁ କାନ୍ଧରେ ପକାଇ ୩ କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଞ୍ଚି ଥିଲେ ।
ଏହି ଘଟଣା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା । ଯାହା ପରେ ମଙ୍ଗଳବାର ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ । ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।