Latest Odisha News

BREAKING NEWS

ବ୍ୟାଙ୍କର ବେପରୁଆ ମନୋଭାବକୁ ଦାୟୀ! ଜିତୁ ମୁଣ୍ଡାଙ୍କୁ ଭେଟିବା ପରେ ପ୍ରଶାସନ ଉପରେ ବର୍ଷିଲେ ବଦ୍ରି

କେନ୍ଦୁଝର: ବ୍ୟାଙ୍କ ଖାତାରୁ ମାତ୍ର କିଛି ଟଙ୍କା ଉଠାଇବା ପାଇଁ ମୃତ ଭଉଣୀର ପ୍ରମାଣ ଦେବାକୁ ଯାଇ ଜଣେ ଗରିବ ଆଦିବାସୀ ଯୁବକ ନିଜ ଭଉଣୀର କଙ୍କାଳ ମାଟି ତଳୁ ଖୋଳିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। କେନ୍ଦୁଝର ଜିଲ୍ଲା ଦିଆନାଳି ଗାଁରେ ଘଟିଥିବା ଏହି ଅମାନବୀୟ ତଥା ହୃଦୟବିଦାରକ ଘଟଣା ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ବୁଧବାର ଦିନ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ପୀଡ଼ିତ ଭାଇ ଜିତୁ ମୁଣ୍ଡାଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ଖାମଖିଆଲି ମନୋଭାବକୁ ତୀବ୍ର ନିନ୍ଦା କରିଛନ୍ତି।

ବଦ୍ରି ପାତ୍ର କହିଛନ୍ତି ଯେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ହିଁ ଜିତୁ ମୁଣ୍ଡା ଏଭଳି ଏକ କଷ୍ଟଦାୟକ ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ମୃତ୍ୟୁ ପ୍ରମାଣପତ୍ର ନଥାଇ କିଭଳି ଜଣେ ଗରିବ ଲୋକକୁ ବାରମ୍ବାର ହଇରାଣ କରାଗଲା, ତାହା ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୋଲିସ ଏହି ଘଟଣାରେ ସାମାନ୍ୟ ସହଯୋଗ କରିବା ପରେ କଙ୍କାଳ ବା ଶବକୁ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବାରେ ବିଫଳ ହୋଇଛି, ଯାହାକି ପ୍ରଶାସନର ସମ୍ବେଦନହୀନତାକୁ ଦର୍ଶାଉଛି।

ଅନ୍ୟପକ୍ଷରେ, ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ପରେ ରେଡକ୍ରସ୍ ପାଣ୍ଠିରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ବ୍ୟାଙ୍କରେ ଫସି ରହିଥିବା ଜିତୁଙ୍କ ୧୯ ହଜାର ୪୦୦ ଟଙ୍କା ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ଘରେ ପହଞ୍ଚାଇ ଦିଆଯାଇଛି।

ଏହି ପ୍ରସଙ୍ଗରେ ବିଜେପି ନେତାମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ଯେ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣାରେ ମାନବିକତା ପ୍ରଦର୍ଶନ କରିବା ପରିବର୍ତ୍ତେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି କରୁଥିବାରୁ ବିଜେପି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି।

Leave A Reply

Your email address will not be published.