Latest Odisha News

BREAKING NEWS

ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଏବେ ମହଙ୍ଗା ହେବ ବାହାଘର ଭୋଜି, ପ୍ଲେଟ୍ ପିଛା ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା

ଭୁବନେଶ୍ୱର: ଆଗକୁ ବିବାହ ଋତୁ ଆସୁଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ବାରମ୍ବାର କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏବେ କ୍ୟାଟ୍ରିଂ ଇଣ୍ଡଷ୍ଟ୍ରି ଚିନ୍ତାରେ। ଗ୍ୟାସ ଦର ବଢ଼ିବା ଫଳରେ ଏହାର ସିଧାସଳଖ ପ୍ରଭାବ ଭୋଜିର ମୂଲ୍ୟ ଉପରେ ପଡ଼ିବ। ଆଗାମୀ ଦିନରେ ବାହାଘର ଭୋଜି ପାଇଁ ପ୍ରତି ପ୍ଲେଟ୍‌ ପିଛା ପ୍ରାୟ ୧୦୦ ଟଙ୍କା ଅଧିକ ଦେବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି।

​କ୍ୟାଟ୍ରିଂ ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ ଯେଉଁ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ୧୭୦୦ ଟଙ୍କାରେ ମିଳୁଥିଲା, ତାହା ଏବେ ବୃଦ୍ଧି ପାଇ ୩୨୫୮ ଟଙ୍କାରେ ପହଞ୍ଚିଛି। ଅର୍ଥାତ ଗ୍ୟାସ ଦର ପ୍ରାୟ ଦୁଇଗୁଣା ହୋଇଯାଇଛି।

ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି ଏବଂ ଯୋଗାଣରେ ସମସ୍ୟା ଯୋଗୁଁ ଏଭଳି ଦରବୃଦ୍ଧି ଘଟିଥିବା କୁହାଯାଉଛି।

​ସରକାରଙ୍କ କଟକଣା ଓ କ୍ୟାଟ୍ରିଂ ସଂଘର ଚିନ୍ତା

​କ୍ୟାଟ୍ରିଂ ଆସୋସିଏସନ୍ ସେକ୍ରେଟରୀ ଦେବୀ ପ୍ରସାଦ ରଥ କହିଛନ୍ତି ଯେ, “ପୂର୍ବରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସରକାର ଆବଶ୍ୟକତାର ମାତ୍ର ୨୦ ପ୍ରତିଶତ ଗ୍ୟାସ ଯୋଗାଉଥିଲେ। ଏବେ ଦର ଅହେତୁକ ଭାବେ ବଢ଼ିଯାଇଥିବାରୁ କ୍ୟାଟ୍ରିଂ ମାଲିକମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏହି କ୍ଷତିର ଭରଣା ପାଇଁ ଗ୍ରାହକଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ପକାଇବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।”

​ଭୋଜି ଦର ପ୍ରତି ପ୍ଲେଟ୍ ଉପରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା। ବାହାଘର ବଜେଟ୍ ହଠାତ୍ ବଢ଼ିଯାଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।

​କ୍ୟାଟ୍ରିଂ ବ୍ୟବସାୟୀ କ୍ଷତି ସହି ବ୍ୟବସାୟ କରିବା ସମ୍ଭବ ନଥିବାରୁ ଅନେକ ସଂଘ ଏହି ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।

​ସୂଚନାଯୋଗ୍ୟ ଯେ, ମେ’ ୧ ତାରିଖରୁ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ପ୍ରାୟ ୯୯୩ ଟଙ୍କା ବୃଦ୍ଧି ପାଇଛି, ଯାହା ବଜାରରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି।

Leave A Reply

Your email address will not be published.