ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ କୋର୍ଟର ଜଣେ ୩୦ ବର୍ଷୀୟ ଯୁବ ବିଚାରପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ୍ ଅନ୍ତର୍ଗତ ଗ୍ରୀନ୍ ପାର୍କ ସ୍ଥିତ ତାଙ୍କ ବାସଭବନର ବାଥରୁମ୍ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଚାରପତିଙ୍କ ନାମ ଅମନ କୁମାର ଶର୍ମା। ସେ ଉତ୍ତର-ପୂର୍ବ ଦିଲ୍ଲୀର କାର୍କରଡୁମା କୋର୍ଟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ର ସଚିବ ଭାବରେ କାର୍ଯ୍ୟରତ ଥିଲେ। ଏହି ଘଟଣା ସମଗ୍ର ଆଇନଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ଅମନଙ୍କ ଶଳା ଶିବମ୍ ସଫଦରଜଙ୍ଗ ଏନକ୍ଲେଭ୍ ଥାନାକୁ ଫୋନ୍ କରି ଏହି ଅଘଟଣ ସମ୍ପର୍କରେ ଖବର ଦେଇଥିଲେ। ସେ ପୋଲିସକୁ କହିଥିଲେ ଯେ, “ମୋ ଭିଣୋଇ ଘରର ବାଥରୁମ୍ରେ ଆତ୍ମହତ୍ୟା କରିଛନ୍ତି।” ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବାଥରୁମ୍ କବାଟ ଭିତରୁ ବନ୍ଦ ଥିବାରୁ, ଝରକା କାଚ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅମନଙ୍କ ଆତ୍ମହତ୍ୟା ପଛରେ ପାରିବାରିକ ବିବାଦ ଥିବା ନେଇ ପରିବାର ଲୋକେ ସଙ୍ଗିନ ଅଭିଯୋଗ କରିଛନ୍ତି। ମୃତ ଅମନଙ୍କ ବାପା ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଅମନ ତାଙ୍କୁ ଫୋନ୍ କରି ଭୋ ଭୋ ହୋଇ କାନ୍ଦିଥିଲେ। ସେ କହିଥିଲେ, “ମୁଁ ବହୁତ ହଇରାଣ ହେଉଛି, ମୋ ପାଇଁ ଏବେ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି।”
ଅମନଙ୍କ ପତ୍ନୀ ମଧ୍ୟ ଜଣେ ବିଚାରପତି। ଗତ ଦୁଇ ମାସ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଘଟଣା ଦିନ ଘର ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ପରିବାର ଲୋକେ ଦାବି କରିଛନ୍ତି। ପତ୍ନୀଙ୍କ ମାନସିକ ନିର୍ଯାତନା ସହି ନପାରି ଅମନ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।
ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ପୋଲିସ ପରିବାର ଏବଂ ପଡୋଶୀଙ୍କୁ ପଚରାଉଚରା କରି ସମସ୍ତ ଦିଗକୁ ଟିକନିଖି ଯାଞ୍ଚ କରୁଛି।