ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ରାତିରେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପରିସରରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମୃତକ ଜଣକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବିଶ୍ୱାସ ସ୍ୱାଇଁ, ଯିଏକି ବି.ଟେକ୍ ପ୍ରଥମ ବର୍ଷରେ ପାଠ ପଢୁଥିଲେ। କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏହାସହ ର୍ୟାଗିଂ ଯୋଗୁଁ ଏଭଳି ଘଟିଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ହୋଇଛି।
ମୃତକଙ୍କ ବାପାଙ୍କ ବୟାନ ଅନୁଯାୟୀ, ଶନିବାର ରାତିରେ ତାଙ୍କ ପୁଅ ୱାର୍ଡେନ୍ଙ୍କ ପାଖରେ ଆଡେଡାନ୍ସ ପକାଇ ନଥିବା ନେଇ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। ଏହାପରେ ସେ ବ୍ୟସ୍ତ ହୋଇ ପୁଅକୁ ଫୋନ୍ କରିଥିଲେ, କିନ୍ତୁ ସେ ଉଠାଇ ନଥିଲେ। ପରେ ସେ ପୁଅର ରୁମ୍ମେଟ୍ ଅଙ୍କିତ ସ୍ୱାଇଁଙ୍କୁ ଫୋନ୍ କରିବାରୁ ଅଙ୍କିତ କହିଥିଲେ ଯେ ବିଶ୍ୱାସ ସେହି ସମୟରେ ୱାସରୁମ୍ ଯାଇଛନ୍ତି।
ପରିବାରର ଉତ୍କଣ୍ଠା ଭିତରେ ରାତି ପ୍ରାୟ ୧୦ଟା ବେଳେ ବିଶ୍ୱାସ ନିଜେ ବାପାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ସେ ଶୋଇପଡ଼ିଥିଲେ, ତେଣୁ ଆଟେଣ୍ଡାନ୍ସ ଦେଇପାରିଲେ ନାହିଁ। କିନ୍ତୁ ଏହାର ଠିକ୍ ଘଣ୍ଟାଏ ପରେ ଅର୍ଥାତ୍ ରାତି ୧୧ଟା ସମୟରେ କଲେଜ କର୍ତ୍ତୃପକ୍ଷ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଖବର ପାଇ ଛାତ୍ରଙ୍କ ବାପା କଲେଜରେ ପହଞ୍ଚିବା ବେଳକୁ ତାଙ୍କ ପୁଅକୁ ହସ୍ପିଟାଲ ନିଆଯାଇଥିଲା। ପରେ ରୁମ୍କୁ ଯାଇ ଦେଖିବାରୁ ସେଠାରେ ସବୁ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଅର ମୃତ୍ୟୁକୁ ହତ୍ୟାକାଣ୍ଡ ଦର୍ଶାଇ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ବେଡ୍ ଉପରେ ଗୋଟିଏ ଚେୟାର ଥିଲା ଏବଂ ଫ୍ୟାନ୍ରେ ଏକ ଟାୱେଲ୍ ଝୁଲୁଥିଲା। ମୋ ପୁଅର ଉଚ୍ଚତା ପ୍ରାୟ ୫ ଫୁଟ୍ ୮ ଇଞ୍ଚ। ଯଦି ସେ ବେଡ୍ ଉପରେ ଚେୟାର ରଖି ଛିଡ଼ା ହେବ, ତେବେ ତା’ ମୁଣ୍ଡ ସିଧାସଳଖ ଛାତରେ ବାଜିବ। ମୋ ପୁଅ କେବେବି ଆତ୍ମହତ୍ୟା କରିନାହିଁ, ସେ ମାନସିକ ସ୍ତରରେ ବିଲକୁଲ୍ ଚାପଗ୍ରସ୍ତ ନଥିଲା। ସେହିଦିନ ଉପରବେଳା ସେ ନିଜ ପାଇଁ ନୂଆ ଜୋତା କିଣିଥିଲା, ଯଦି କେହି ମରିବାକୁ ଚାହୁଁଥିବ ସେ ଏମିତି କାହିଁକି କରିବ?”
ଏହାବ୍ୟତୀତ, ରୁମ୍ମେଟ୍ କହିବା ଅନୁଯାୟୀ ଯେତେବେଳେ ସେ ରୁମ୍କୁ ଫେରିଲେ ସେତେବେଳେ ବିଶ୍ୱାସ ଝୁଲନ୍ତା ଅବସ୍ଥାରେ ଥିଲେ, କିନ୍ତୁ ତାଙ୍କ ପାଦ ବେଡ୍କୁ ଲାଗିରହିଥିଲା। ଯାହାକି ତାଙ୍କ ମୃତ୍ୟୁ ଉପରେ ଅଧିକ ସନ୍ଦେହ ସୃଷ୍ଟି କରୁଛି।
ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବାପା ପ୍ରଶ୍ନ କରିଛନ୍ତି ଯେ, “ଯଦି ପୁଅ ଆଟେଣ୍ଡାନ୍ସ ଦେବାକୁ ଆସିଲାନି, ତେବେ ୱାର୍ଡେନ୍ କାହିଁକି ନିଜେ ଯାଇ ରୁମ୍ ଚେକ୍ କଲେନାହିଁ? କେବଳ ଫାଇନ୍ ପକାଇ ମେସେଜ୍ କରିଦେଲେ କ’ଣ ଦାୟିତ୍ୱ ସରିଗଲା? ଯଦି ସେମାନଙ୍କୁ ଲାଗୁଥିଲା ପୁଅ ଡିପ୍ରେସନ୍ରେ ଥିଲା, ତେବେ ତା’ ପାଇଁ କାଉନସେଲିଂର ବ୍ୟବସ୍ଥା କାହିଁକି କରାଗଲାନି?”
ଅନ୍ୟପକ୍ଷରେ, ପ୍ରଥମ ସେମିଷ୍ଟାର୍ ବେଳେ ବିଶ୍ୱାସ ର୍ୟାଗିଂର ଶିକାର ହେଉଥିବା ନେଇ ପରିବାର ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ, ଏହା ପରେ ତାହା ବନ୍ଦ ହୋଇଯାଇଥିଲା ବୋଲି ବାପା କହିଛନ୍ତି। ପୋଲିସ ଏହି ଘଟଣାରେ ପ୍ରେମ ବ୍ୟାପାରର ଆଙ୍ଗେଲ୍ ମଧ୍ୟ ଖୋଜୁଛି ଏବଂ ମୃତକ କାହାକୁ ଏକ ମେସେଜ୍ କରିଥିଲେ ବୋଲି କହୁଛି। କିନ୍ତୁ ଏହି ମେସେଜର ସମୟକୁ ନେଇ ବାପା ପୋଲିସକୁ ପାଲଟା ପ୍ରଶ୍ନ କରିବା ସହ ଉପଯୁକ୍ତ ତଦନ୍ତ ଦ୍ୱାରା ନ୍ୟାୟ ଦାବି କରିଛନ୍ତି।
ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି, ହେଲେ ରିପୋର୍ଟ ଲେଖାହେବା ବେଳକୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ। ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କୁହାଯାଉଛି।