Latest Odisha News

BREAKING NEWS

EVM ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଅଖିଲେଶ: କହିଲେ, ‘ଗଣତନ୍ତ୍ର ଉପରେ ପ୍ରହାର କରୁଛନ୍ତି ସରକାର’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ସମେତ ଇଭିଏମ୍ ପ୍ରସଙ୍ଗକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଲକ୍ଷ୍ନୌଠାରେ ଏକ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ଯେ, କ୍ଷମତାରେ ଥିବା ସରକାର ସାଧାରଣ ଜନତାଙ୍କୁ କେବଳ ମହଙ୍ଗାଇର ଉପହାର ଦେଇଛନ୍ତି। ଘରୋଇ ତଥା ବ୍ୟବସାୟିକ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧିକୁ ନେଇ ଅଖିଲେଶ ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ସରିବା ମାତ୍ରେ ସରକାର ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଦିଅନ୍ତି।

ଭୋଟ୍ ନେବା ପାଇଁ ପ୍ରଥମେ ଦରବୃଦ୍ଧି ଉପରେ ରୋକ୍ ଲଗାଯାଏ, ଆଉ ନିର୍ବାଚନ ଶେଷ ହେବା ପରେ ପରେ ସାଧାରଣ ଲୋକଙ୍କ ପକେଟ୍ କଟାଯାଏ। ସୋସିଆଲ୍ ମିଡିଆରେ ଦୃଢ଼ୋକ୍ତି ପ୍ରକାଶ କରି ସେ ଲେଖିଛନ୍ତି, “ଯେବେ କ୍ଷମତାରୁ ବିଜେପି ଯିବ, ସେବେ ଯାଇ ଦେଶରୁ ମହଙ୍ଗା କମିବ”। ଇଭିଏମ୍ ଓ

କେବଳ ମହଙ୍ଗା ମାଡ଼ ନୁହେଁ, ବରଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ମଧ୍ୟ ବିଜେପି ପ୍ରହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଇଭିଏମ୍‌ର ସ୍ୱଚ୍ଛତା ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ଅଖିଲେଶ କହିଛନ୍ତି ଯେ, ଶାସକ ଦଳ ନିର୍ବାଚନ ଜିତିବା ପାଇଁ ଅନେକ ହୀନ ପ୍ରୟାସ କରୁଛି। ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ମଧ୍ୟ ସେ ସନ୍ଦେହ ପ୍ରକଟ କରିଛନ୍ତି। ତାଙ୍କ ମତରେ, ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନର ସରକାର ଅନ୍ୟ ରାଜ୍ୟରୁ ଆରଏସ୍‌ଏସ୍ କର୍ମୀଙ୍କୁ ଆଣି ବୁଥ୍ ସ୍ତରରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ସରକାରୀ କଳର ଦୁରୂପଯୋଗ କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି।

ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଚାଷୀଙ୍କ ସମସ୍ୟା, ବେକାରୀ ଏବଂ ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ସପା ମୁଖ୍ୟ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ବିଜେପିର ଜନମାରଣା ନୀତି ଏବଂ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଲୋକଙ୍କୁ ସଚେତନ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.