କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଥିବା ହାଇପ୍ରୋଫାଇଲ୍ ଆସନ ‘ନନ୍ଦୀଗ୍ରାମ’କୁ ନେଇ ସବୁଠି ଉତ୍କଣ୍ଠା। ଫଳାଫଳ କ’ଣ ହେବ, କିଏ ମାରିବ ବାଜି, ସେନେଇ ସମସ୍ତଙ୍କ ନଜର ଅଟକିଛି।
କିନ୍ତୁ ଭୋଟ୍ ବାକ୍ସ ଖୋଲିବା ପୂର୍ବରୁ ନନ୍ଦୀଗ୍ରାମର ସ୍ଥାନୀୟ ବଜାରରେ ଏବେ ଏକ ନିଆରା ଲଢ଼େଇ ଦେଖିବାକୁ ମିଳିଛି। ତାହା ହେଉଛି ରଙ୍ଗର ଲଢ଼େଇ। ବଜାରରେ କେଉଁ ରଙ୍ଗର ଅବିର ଅଧିକ ବିକ୍ରି ହେଉଛି- ଶାସକ ତୃଣମୂଳ କଂଗ୍ରେସର (ଟିଏମ୍ସି) ‘ସବୁଜ’ ନା ବିରୋଧୀ ବିଜେପିର ‘ଗେରୁଆ’? ଏହାକୁ ନେଇ ଏବେ ସବୁଠି ଜୋରଦାର ଚର୍ଚ୍ଚା।
ନିର୍ବାଚନ ଫଳାଫଳ ଆସିବାକୁ ଆଉ କିଛି ସମୟ ବାକି ଥିବା ବେଳେ ବ୍ୟବସାୟୀମାନେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମିଠା ଦୋକାନଠାରୁ ଆରମ୍ଭ କରି ରଙ୍ଗ ଦୋକାନ ପର୍ଯ୍ୟନ୍ତ, ସବୁଠି ଆଗୁଆ ଭିଡ଼ ଦେଖିବାକୁ ମିଳିଛି। ତେବେ ଦୋକାନୀମାନେ ମଧ୍ୟ ଘୋର ଦ୍ୱନ୍ଦ୍ୱରେ ଅଛନ୍ତି। କାହାର ପଲା ଭାରି ରହିବ ଏବଂ କିଏ ନିର୍ବାଚନ ଜିତିବ, ସେକଥା କେହି ବି ସ୍ପଷ୍ଟ ଭାବେ ଆକଳନ କରିପାରୁନାହାନ୍ତି। ତେଣୁ କୌଣସି ବେପାରୀ ରିସ୍କ ନନେଇ ଦୋକାନୀମାନେ ଉଭୟ ସବୁଜ ଏବଂ ଗେରୁଆ ରଙ୍ଗର ଅବିର ବିପୁଳ ପରିମାଣରେ ମହଜୁଦ କରି ରଖିଛନ୍ତି।
ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ, “ଯେଉଁ ଦଳ ଜିତିବ, ସେହି ଦଳର କର୍ମୀମାନେ ବିଜୟ ଉତ୍ସବ ପାଳନ କରିବା ପାଇଁ ପ୍ରବଳ ମାତ୍ରାରେ ରଙ୍ଗ କିଣିବେ। ତେଣୁ ଆମ ପାଇଁ ଉଭୟ ରଙ୍ଗ ସମାନ ଗୁରୁତ୍ୱ ବହନ କରୁଛି। ଆମେ କାହାକୁ ବି ନିରାଶ କରିବାକୁ ଚାହୁଁନାହୁଁ।”
ଭବାନୀପୁରରେ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ହେଭିୱେଟ୍ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ଏହି ହାଇ-ଭୋଲଟେଜ୍ ଲଢ଼େଇରେ କିଏ ଶେଷ ହସ ହସିବ, ତାହା ସମ୍ପୂର୍ଣ୍ଣ ଭାବେ ଭବିଷ୍ୟତ ଗର୍ଭରେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବଜାରର ବିକ୍ରିବଟା ଚିତ୍ର ଦେଖିଲେ ଜଣାପଡ଼ୁଛି ଯେ, ଉଭୟ ରଙ୍ଗର ଚାହିଦା ପ୍ରାୟତଃ ସମାନ ରହିଛି। ଗୋଟିଏ ପଟେ ଟିଏମ୍ସି ସମର୍ଥକମାନେ ଆଗୁଆ ସବୁଜ ରଙ୍ଗର ଅବିର ଏବଂ ସବୁଜ ରସଗୋଲା କିଣିବାକୁ ଆଗ୍ରହ ଦେଖାଉଥିବା ବେଳେ, ଅନ୍ୟପଟେ ବିଜେପି କର୍ମୀମାନେ ମଧ୍ୟ ପଛରେ ନାହାନ୍ତି; ସେମାନେ ମଧ୍ୟ ଗେରୁଆ ଅବିର ଏବଂ ବୁନ୍ଦି ଲଡୁ ସନ୍ଧାନରେ ଥିବା ଦେଖିବାକୁ ମିଳୁଛି।
ଶେଷରେ, ଇଭିଏମ୍ ମେସିନ୍ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବ ଯେ ଆକାଶରେ ବିଜୟର ସବୁଜ ରଙ୍ଗ ଉଡ଼ିବ ନା ଗେରୁଆ। ତେବେ ରାଜନୈତିକ ଉଷ୍ମତା ଭିତରେ ବଜାରରେ ରଙ୍ଗର ଏହି ନୀରବ ପ୍ରତିଯୋଗିତା ସ୍ଥାନୀୟ ଅଞ୍ଚଳରେ ଏକ ଭିନ୍ନ ରୋମାଞ୍ଚ ସୃଷ୍ଟି କରିଛି। ସମସ୍ତଙ୍କ ଅପେକ୍ଷା ଏବେ କେବଳ ଫଳାଫଳ ଘୋଷଣାକୁ।