ନବୀନ ଓ କେଜ୍ରିୱାଲଙ୍କ ‘ଏଲିଟ୍ କ୍ଲବ୍’ରେ ଏବେ ଥାଲାପତି: ପ୍ରଥମ ଲଢ଼େଇରେ ସିଧା ମୁଖ୍ୟମନ୍ତ୍ରୀ ଚୌକି, ଜାଣନ୍ତୁ ଏହି ୩ ଐତିହାସିକ ବିଜୟର ସମୀକରଣ
ଭୁବନେଶ୍ୱର.: ରାଜନୀତି ଏକ ଏମିତି ନିର୍ଦ୍ଦୟ ଖେଳ, ଯେଉଁଠି ଦଶନ୍ଧି ଦଶନ୍ଧି ଧରି ରାସ୍ତାରେ ସଂଘର୍ଷ କଲେ ବି ଅନେକ ନେତାଙ୍କୁ କ୍ଷମତାର ସିଂହାସନ ମିଳେନାହିଁ। ଦଳ ଗଢ଼ିବାର ବର୍ଷ ବର୍ଷ ପରେ ଯାଇ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପଡ଼େ। କିନ୍ତୁ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏମିତି କିଛି ବିରଳ ଅଧ୍ୟାୟ ଅଛି, ଯେଉଁଠି ନେତା ଆସିଲେ, ଦଳ ଗଢ଼ିଲେ ଏବଂ ନିଜର ପ୍ରଥମ ବିଧାନସଭା ନିର୍ବାଚନରେ ହିଁ ସିଧାସଳଖ ସରକାର ଗଢ଼ିଦେଲେ। ଅତୀତରେ ଓଡ଼ିଶାରେ ନବୀନ ପଟ୍ଟନାୟକ ଏବଂ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ଏହି ଚମତ୍କାର କରି ଦେଖାଇଥିଲେ। ଏବେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ସେହି ସମାନ ଇତିହାସର ପୁନରାବୃତ୍ତି କରିଛନ୍ତି ତାମିଲ୍ ସୁପରଷ୍ଟାର ଥାଲାପତି ବିଜୟ।
ନିଜର ପ୍ରଥମ ରାଜନୈତିକ ଇନିଂସ୍ରେ ବିଜୟଙ୍କ ଦଳ ‘ତାମିଝାଗା ଭେଟ୍ରି କାଝାଗମ୍’ (ଟିଭିକେ) ଯେଉଁଭଳି ଭାବେ ତାମିଲନାଡୁର ଦ୍ରାବିଡ଼ ଦୁର୍ଗକୁ ଭେଦ କରିଛି, ତାହା ସାରା ଦେଶର ରାଜନୈତିକ ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଓଡ଼ିଶାରେ ବିଜେଡିର ଉଦୟ:
ବର୍ଷ ୧୯୯୯। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସେତେବେଳେ ଜନତା ଦଳ ଭାଗ ଭାଗ ହେବାକୁ ବସିଥିବା ବେଳେ ରାଜନୀତିର ‘ଅ’ ଅକ୍ଷର ଜାଣିନଥିବା ନବୀନ ପଟ୍ଟନାୟକଙ୍କ ଏଣ୍ଟ୍ରି ହୋଇଥିଲା। ୧୯୯୯ ମସିହା ଡିସେମ୍ବରରେ ‘ବିଜୁ ଜନତା ଦଳ’ (BJD) ଗଠନ ହେଲା। କଂଗ୍ରେସ ଶାସନ ବିରୋଧରେ ଲୋକଙ୍କ ଆକ୍ରୋଶ ଥିଲା ଏବଂ ନବୀନଙ୍କ ପାଖରେ ଥିଲା ଏକ ସ୍ୱଚ୍ଛ ଭାବମୂର୍ତ୍ତି ସାଙ୍ଗକୁ ବିଜୁ ବାବୁଙ୍କ ଲିଗାସୀ। ବିଜେପି ସହ ମେଣ୍ଟ କରି ନିଜର ପ୍ରଥମ ବିଧାନସଭା ନିର୍ବାଚନ (୨୦୦୦ ମସିହା) ରେ ହିଁ ବିଜେଡି କ୍ଷମତାକୁ ଆସିଲା ଏବଂ ନବୀନ ମୁଖ୍ୟମନ୍ତ୍ରୀ ହେଲେ। ତା’ପରର ୨୪ ବର୍ଷର ଇତିହାସ ସମସ୍ତଙ୍କୁ ଜଣା।
ଦିଲ୍ଲୀରେ ଆପ୍ର ଚମତ୍କାର:
୨୦୧୧-୧୨ ମସିହାରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିଲା ‘ଆମ୍ ଆଦମୀ ପାର୍ଟି’ (ଆପ୍)। ଜଣେ ପୂର୍ବତନ ଆଇଆରଏସ୍ ଅଧିକାରୀ ଅରବିନ୍ଦ କେଜ୍ରିୱାଲ ଏହାର ନେତୃତ୍ୱ ନେଲେ। ୨୦୧୩ରେ ଆପ୍ ପ୍ରଥମ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଲା। ଲୋକେ ପାରମ୍ପରିକ କଂଗ୍ରେସ ଓ ବିଜେପି ରାଜନୀତିରେ ଅତିଷ୍ଠ ହୋଇସାରିଥିଲେ। କେଜ୍ରିୱାଲ ନିଜକୁ ଜଣେ ସାଧାରଣ ଲୋକଙ୍କ ପ୍ରତିନିଧି ଭାବେ ଉପସ୍ଥିତି ଜାହିର କଲେ। ପ୍ରଥମ ନିର୍ବାଚନରେ ହିଁ ଦଳ ୨୮ଟି ଆସନ ଜିତିଲା ଏବଂ କଂଗ୍ରେସର ବାହ୍ୟ ସମର୍ଥନରେ କେଜ୍ରିୱାଲ ସରକାର ଗଢ଼ିଲେ। ପରେ ୨୦୧୫ରେ ଏହି ଦଳ ୭୦ରୁ ୬୭ ଆସନ ଜିତି ବିଶ୍ୱ ରେକର୍ଡ କରିଥିଲା।
ତାମିଲନାଡୁରେ ଟିଭିକେର ଝଡ଼:
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଏଣ୍ଟ୍ରି ଠିକ୍ ନବୀନ ଓ କେଜ୍ରିୱାଲଙ୍କ ଫର୍ମୁଲାକୁ ମନେ ପକାଇ ଦେଇଛି। ଗତ ୫୦ ବର୍ଷ ଧରି ତାମିଲନାଡୁ କେବଳ ଡିଏମକେ ଏବଂ ଏଆଇଏଡିଏମକେ ହାତରେ ଶାସିତ ହୋଇଆସୁଥିଲା। ଲୋକେ ଏହି ‘ଟୁ-ପାର୍ଟି ସିଷ୍ଟମ୍’ର ଏକ ବିକଳ୍ପ ଖୋଜୁଥିଲେ। ବିଜୟ ନିଜର ‘ଟିଭିକେ’ ଦଳ ମାଧ୍ୟମରେ ସେହି ବିକଳ୍ପ ଦେଲେ। ନିଜର ପ୍ରଥମ ନିର୍ବାଚନରେ ୧୦୭ଟି ଆସନ ଜିତି ସେ ବହୁମତର ନିକଟତର ହୋଇଛନ୍ତି।
ଏହି ୩ଟି ଐତିହାସିକ ବିଜୟରେ ସାମଞ୍ଜସ୍ୟ କ’ଣ?
ସରକାର ବିରୋଧୀ ହାଓ୍ୱା: ଲୋକେ ଯେତେବେଳେ ପ୍ରଚଳିତ ବ୍ୟବସ୍ଥା (ଯଥା ୧୯୯୯ର ଓଡ଼ିଶା କଂଗ୍ରେସ, ଦିଲ୍ଲୀର ଶିଲା ଦୀକ୍ଷିତ ସରକାର, ଏବଂ ବର୍ତ୍ତମାନର ଦ୍ରାବିଡ଼ ରାଜନୀତି) ଉପରେ ବିରକ୍ତ ହୋଇଯାଆନ୍ତି, ସେତେବେଳେ ଏକ ନୂଆ ଏବଂ ସତେଜ ବିକଳ୍ପକୁ ଆଖିବୁଜି ଗ୍ରହଣ କରନ୍ତି।
ନବୀନଙ୍କ ସରଳତା, କେଜ୍ରିୱାଲଙ୍କ ଆନ୍ଦୋଳନକାରୀ ଛବି ଏବଂ ବିଜୟଙ୍କ ଦୁର୍ନୀତିମୁକ୍ତ ସିନେମାଟିକ୍ ହିରୋର ଛବି- ଏହି ତିନୋଟି ଯାକ ଭୋଟରଙ୍କୁ ଆକୃଷ୍ଟ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା।
ନବୀନ ଜାନକୀ ପଟ୍ଟନାୟକଙ୍କ ଭଳି ଟାଣୁଆ ନେତାଙ୍କୁ ଚେକ୍ମେଟ୍ ଦେଇଥିଲେ, କେଜ୍ରିୱାଲ ୩ ଥର ମୁଖ୍ୟମନ୍ତ୍ରୀ ଥିବା ଶିଲା ଦୀକ୍ଷିତଙ୍କୁ ହରାଇଥିଲେ। ଆଉ ଏବେ ବିଜୟ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କୁ ତାଙ୍କ ନିଜ ଗଡ଼ରେ ପରାସ୍ତ କରିଛନ୍ତି।
ଗଣତନ୍ତ୍ରରେ ଭୋଟର ଯେତେବେଳେ ପରିବର୍ତ୍ତନ ଚାହାଁନ୍ତି, ସେମାନେ ରାଜନୈତିକ ଅଭିଜ୍ଞତା ଦେଖନ୍ତି ନାହିଁ; ଦେଖନ୍ତି କେବଳ ଉଦ୍ଦେଶ୍ୟ ଓ ନିଷ୍ଠା। ନବୀନ ପଟ୍ଟନାୟକ ଏବଂ ଅରବିନ୍ଦ କେଜ୍ରିୱାଲ ଯେଉଁ ଇତିହାସ ରଚିଥିଲେ, ବିଜୟ ଏବେ ସେହି ‘ଏଲିଟ୍ କ୍ଲବ୍’ରେ ସାମିଲ ହୋଇ ଭାରତୀୟ ରାଜନୀତିରେ ଏକ ନୂଆ ବାର୍ତ୍ତା ଦେଇଛନ୍ତି ଯେ- ନିଆରା ବିକଳ୍ପ ଥିଲେ, ପରିବର୍ତ୍ତନ କେବେ ବି ଅସମ୍ଭବ ନୁହେଁ।