ଚେନ୍ନାଇ: ଦକ୍ଷିଣ ଭାରତର ରାଜନୀତିରେ ପୁଣି ଏକ ଫିଲ୍ମି ଷ୍ଟାଇଲ୍ ଏଣ୍ଟ୍ରି ! ସୁପରଷ୍ଟାର୍ ବିଜୟ ନିଜର ଚମତ୍କାର ପ୍ରଦର୍ଶନରେ ସାରା ଦେଶକୁ ଚକିତ କରିଦେଇଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗମ୍’ ବା TVK ସମସ୍ତ ଗଣିତକୁ ଓଲଟପାଲଟ କରି ଦେଇଛି। ୨୩୪ଟି ଆସନ ବିଶିଷ୍ଟ ବିଧାନସଭାରେ ବିଜୟଙ୍କ ଦଳ ଏକାକୀ ୧୦୮ଟି ସିଟ୍ ହାସଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି।
ଯଦିଓ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ବିଜୟ ମାତ୍ର ୧୦ଟି ସିଟ୍ ପଛରେ ରହିଛନ୍ତି, ତଥାପି ଏହି ସଫଳତା କୌଣସି ବଡ଼ ଚମତ୍କାରଠୁ କମ୍ ନୁହେଁ। ଦଶନ୍ଧି ଦଶନ୍ଧି ଧରି ତାମିଲନାଡୁ ଶାସନ କରୁଥିବା DMK ଏବଂ AIADMK ଭଳି ଦଳକୁ ଚେକ୍ମେଟ୍ ଦେଇଛନ୍ତି ବିଜୟ। ଏହି ବିଜୟକୁ ଦେଖିଲେ ୧୯୭୭ ମସିହାର ସେହି ପୁରୁଣା ଦିନ ମନେପଡ଼ୁଛି, ଯେତେବେଳେ ମାଟିନି ଆଇଡଲ୍ ଏମ.ଜି. ରାମଚନ୍ଦ୍ରନ ବା MGR ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ତେବେ ବିଜୟଙ୍କ ଏହି ସଫଳତା ପଛର ରହସ୍ୟ କ’ଣ ? ରାଜନୀତି ସମୀକ୍ଷକଙ୍କ କହିବା କଥା, ବିଜୟଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ‘ଫ୍ରେସ୍ ଲୁକ୍’ ଯୁବବର୍ଗଙ୍କୁ ବେଶ୍ ଆକୃଷ୍ଟ କରିଛି। ବିଶେଷ କରି ୧୮ରୁ ୩୯ ବର୍ଷ ବୟସର ଭୋଟର ଏବଂ ମହିଳାମାନେ ବିଜୟଙ୍କ ଉପରେ ଭରସା ପ୍ରକଟ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜୟ ବିଭିନ୍ନ ମନ୍ଦିର ଏବଂ ଚର୍ଚ୍ଚ ପରିଦର୍ଶନ କରି ନିଜର ଏକ ନୂଆ ଭାବମୂର୍ତ୍ତି ତିଆରି କରିବାରେ ସଫଳ ହୋଇଥିଲେ।
ଏହା କେବଳ ଗୋଟିଏ ଦିନର ସଫଳତା ନୁହେଁ। ୨୦୦୯ ମସିହାରୁ ବିଜୟ ନିଜର ଫ୍ୟାନ୍ କ୍ଲବକୁ ଏକ ସମାଜସେବା ସଂଗଠନରେ ପରିଣତ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସେ ଲୋକଙ୍କ ହୃଦୟ ଜିତିଥିଲେ। ତାଙ୍କର ଶେଷ ଫିଲ୍ମ ‘ଜନନାୟଗନ’ ରିଲିଜ୍ ହେବା ପୂର୍ବରୁ ହିଁ ସେ ଜଣେ ଜନନାୟକ ଭାବେ ନିଦକୁ ପ୍ରଦର୍ଶୀତ କରିସାରିଥିଲେ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବାକି ୧୦ଟି ଆସନ ସେ କେଉଁଠୁ ଆଣିବେ ? ସରକାର ଗଢ଼ିବା ପାଇଁ ବିଜୟଙ୍କୁ ଏବେ ମେଣ୍ଟ ରାଜନୀତିର ସାହାରା ନେବାକୁ ପଡ଼ିବ। ସ୍ୱାଧୀନ ବିଧାୟକ ଏବଂ ଛୋଟ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି। ବିରୋଧୀ ବିଜୟଙ୍କୁ ‘ଅନଭିଜ୍ଞ’ ବୋଲି କହୁଥିବା ବେଳେ, ଜନତାଙ୍କ ରାୟ କିନ୍ତୁ କିଛି ଅଲଗା କଥା କହୁଛି।
ଏବେ ଅପେକ୍ଷା ଏହି ସିନେ-ଷ୍ଟାର ଜଣକ କିଭଳି ଭାବେ ତାମିଲନାଡୁର ପ୍ରଶାସନିକ ଗାଦି ସମ୍ଭାଳୁଛନ୍ତି। ତାମିଲନାଡୁ ରାଜନୀତିର ଏହି ନୂଆ ଅଧ୍ୟାୟ ଉପରେ ସାରା ଦେଶର ନଜର ରହିଛି।