ମାସିକ ଦରମା ମାତ୍ର ୨୫୦୦… ବାସନ ମାଜୁଥିବା କଳିତା ଏବେ ବସିବେ ବିଧାନସଭାରେ: ବେଙ୍ଗଲରେ ଗରିବ ଝିଅର ଐତିହାସିକ ଚମତ୍କାର
କୋଲକାତା: ରାଜନୀତି କହିଲେ ଆମ ଆଖି ଆଗକୁ ଆସେ ବିଳାସପୂର୍ଣ୍ଣ ଏସି ଗାଡ଼ି, କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ବାହୁବଳୀ ନେତାଙ୍କ ଭିଡ଼। କିନ୍ତୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏଇଠି ଯେ, ଏହା ବେଳେବେଳେ ଏମିତି ଏକ ଚମତ୍କାର କରିଦିଏ, ଯାହା ସବୁ ଅହଂକାରକୁ ଧୂଳିସାତ୍ କରିଦିଏ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଠିକ୍ ସେମିତି ଏକ ଇତିହାସ ରଚିଛନ୍ତି କଳିତା ମାଝୀ। ଅନ୍ୟର ଘରେ ବାସନ ମାଜି ଏବଂ ଝାଡ଼ୁ ମାରି ମାସକୁ ମାତ୍ର ୨୫୦୦ ଟଙ୍କା ରୋଜଗାର କରୁଥିବା ଜଣେ ଘରୋଇ ସହାୟିକା ଆଜି ନିଜ ଅଞ୍ଚଳର ବିଧାୟିକା ନିର୍ବାଚିତ ହୋଇଛନ୍ତି।
ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଳିତାଙ୍କ ଏହି ବିଜୟ, ବେଙ୍ଗଲ ନିର୍ବାଚନର ସବୁଠାରୁ ଭାବପ୍ରବଣ ତଥା ଚର୍ଚ୍ଚିତ ଅଧ୍ୟାୟ ପାଲଟିଛି।
ଆର୍ଥିକ ଅନଟନ ଭିତରେ ବଞ୍ଚୁଥିବା କଳିତାଙ୍କ ଜୀବନ ସଂଘର୍ଷର ଏକ ଜୀବନ୍ତ କାହାଣୀ। ପରିବାର ପ୍ରତିପୋଷଣ ପାଇଁ ସେ ଗାଁର ୩-୪ଟି ଘରେ ଚାକରାଣୀ ଭାବେ କାମ କରନ୍ତି। ସକାଳୁ ଉଠି ଅନ୍ୟର ଘର ଓଳାଇବା, ବାସନ ମାଜିବା ଏବଂ ଲୁଗା ସଫା କରିବା ପରେ ତାଙ୍କୁ ଯେଉଁ ୨୫୦୦ ଟଙ୍କା ମିଳେ, ସେଥିରେ ତାଙ୍କର ସଂସାର ଚାଲେ। ତାଙ୍କ ସ୍ୱାମୀ ଜଣେ ଦିନମଜୁରିଆ। ଏଭଳି ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସି ନିର୍ବାଚନ ଲଢ଼ିବା କଥା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ହେଲେ ଦଳ ପ୍ରତି ତାଙ୍କର ନିଷ୍ଠା ଓ ଲୋକଙ୍କ ସହ ତାଙ୍କର ଯୋଡ଼ି ହେବାର ଶୈଳୀକୁ ଦେଖି ବିଜେପି ତାଙ୍କ ଉପରେ ଭରସା କରିଥିଲା।
ଯେତେବେଳେ କଳିତାଙ୍କୁ ଟିକେଟ୍ ମିଳିଥିଲା, ଅନେକ ବିରୋଧୀ ତାଙ୍କୁ ଉପହାସ କରିଥିଲେ। ସାମ୍ନାରେ ଥିଲେ କୋଟିପତି ପ୍ରାର୍ଥୀ। ନା ଥିଲା ନିଜର ଗାଡ଼ି, ନା ଥିଲା ପ୍ରଚାର ପାଇଁ ଟଙ୍କା। ସେ ଚାଲି ଚାଲି ବା ସାଇକେଲରେ ଘରକୁ ଘର ବୁଲି ଭୋଟ୍ ମାଗୁଥିଲେ। ତାଙ୍କର ଲୁହ ଭରା ଆଖି ଏବଂ ସରଳ କଥାବାର୍ତ୍ତା ସିଧାସଳଖ ଭୋଟରଙ୍କ ହୃଦୟକୁ ଛୁଇଁଥିଲା। “ମୁଁ ଗରିବ, ଆପଣଙ୍କ ଭିତରୁ ଜଣେ। ମୋତେ ଥରେ ସୁଯୋଗ ଦିଅନ୍ତୁ,” ତାଙ୍କର ଏହି ନିବେଦନ ଆଗରେ ବିରୋଧୀଙ୍କ କୋଟି କୋଟି ଟଙ୍କାର ପ୍ରଚାର ଫିକା ପଡ଼ିଯାଇଥିଲା।
କଳିତା ମାଝୀଙ୍କ ବିଜୟ କେବଳ ଜଣେ ପ୍ରାର୍ଥୀଙ୍କ ବିଜୟ ନୁହେଁ। ଏହା ହେଉଛି ସେହି ପ୍ରତ୍ୟେକ ଖଟିଖିଆ, ମଜଦୁର ଏବଂ ସଂଘର୍ଷରତ ମହିଳାଙ୍କ ବିଜୟ, ଯେଉଁମାନେ ଆଜି ବି ସମାଜର ମୁଖ୍ୟସ୍ରୋତରୁ ଦୂରରେ ଅଛନ୍ତି। ବିଜେପି ପାଇଁ ଏହି ବିଜୟ ଏକ ବଡ଼ ସାମାଜିକ ବାର୍ତ୍ତା ବହନ କରୁଛି ଯେ- ଦଳ କେବଳ ପ୍ରଭାବଶାଳୀ ନେତାଙ୍କ ଉପରେ ନିର୍ଭର ନକରି ତୃଣମୂଳ ସ୍ତରର ସାଧାରଣ କର୍ମୀଙ୍କୁ ମଧ୍ୟ ସମ୍ମାନ ଦେଉଛି।
ଯେଉଁ ହାତ କାଲି ପର୍ଯ୍ୟନ୍ତ ଅଇଁଠା ବାସନ ମାଜୁଥିଲା, ସେହି ହାତ ଏବେ ବିଧାନସଭାରେ ଲୋକଙ୍କ ଆଇନ ଗଢ଼ିବ। ବାସ୍ତବରେ, ପଶ୍ଚିମବଙ୍ଗର ଏହି ନିର୍ବାଚନ ଇତିହାସ ପୃଷ୍ଠାରେ କଳିତା ମାଝୀଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ।