Latest Odisha News

BREAKING NEWS

ମମତାଙ୍କ ଗଡ଼ ଧୂଳିସାତ୍: ଏବେ ‘ବେଙ୍ଗଲ ଟାଇଗର’ ସାଜିବେ ଶୁଭେନ୍ଦୁ?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ପରେ ‘ଦିଦି’ଙ୍କ ଗଡ଼ରେ ବିଜେପିର ଐତିହାସିକ ବିଜୟ ହୋଇଥିବା ବେଳେ, ଏବେ ସାରା ଦେଶର ନଜର ରହିଛି “କିଏ ହେବେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?” ଏହି ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ବିଧାୟକ ଦଳ ବୈଠକ ପୂର୍ବରୁ ଶୁଭେନ୍ଦୁଙ୍କ ନାଁରେ ମୋହର ବାଜିବା ପ୍ରାୟତଃ ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି।

 

ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ ଶୁଭେନ୍ଦୁ। ବିଶେଷ କରି ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ଆସନରେ ଦିଦିଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରି ସେ ତାଙ୍କର ରାଜନୈତିକ ଦକ୍ଷତା ପ୍ରମାଣିତ କରିଛନ୍ତି। କେବଳ ଭବାନୀପୁର ନୁହେଁ, ନନ୍ଦିଗ୍ରାମରେ ମଧ୍ୟ ବିଜୟୀ ହୋଇ ସେ ମମତାଙ୍କ ବିଧାନସଭା ଯିବା ବାଟ ବନ୍ଦ କରିଦେଇଛନ୍ତି।

 

କାହିଁକି ସିଏମ୍‌ ରେସରେ ଆଗରେ ଶୁଭେନ୍ଦୁ?

ଶୁଭେନ୍ଦୁଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପଛରେ ଚାରୋଟି ମୁଖ୍ୟ କାରଣ ରହିଛି:

 

ରାଜନୈତିକ ଅଭିଜ୍ଞତା: ୧୯୯୫ରୁ କାଉନସିଲର ଭାବେ ଯାତ୍ରା ଆରମ୍ଭ କରିଥିବା ଶୁଭେନ୍ଦୁ ୨୦୦୯ ଓ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

 

୨୦୨୦ରେ ବିଜେପିରେ ସାମିଲ ହେବା ପରେ ଟିଏମସି ବିରୋଧରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛି। କୋଲକାତା ଆରଜି କର ମେଡିକାଲ ଘଟଣାରେ ସରକାରଙ୍କୁ ଅଡୁଆରେ ପକାଇବାରେ ଶୁଭେନ୍ଦୁଙ୍କ ମୁଖ୍ୟ ଭୂମିକା ଥିଲା।

କେନ୍ଦ୍ରୀୟ ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା ଏବଂ ଦିଲ୍ଲୀର ରଣନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି।

 

୨୦୦୭ ନନ୍ଦିଗ୍ରାମ ଜମି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାକୁ ଆସିଥିବା ଶୁଭେନ୍ଦୁ, ଏବେ ପଶ୍ଚିମବଙ୍ଗର ଶାସନ ଗାଦିରେ ବସିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଉଭୟ ବରିଷ୍ଠ ଓ ଯୁବ ନେତାଙ୍କୁ ସାଙ୍ଗରେ ନେଇ ଚାଲିବାର କଳା ତାଙ୍କୁ ସମସ୍ତଙ୍କ ନିକଟରେ ଗ୍ରହଣୀୟ କରିଛି।

 

ଯଦି ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମ ଚୂଡ଼ାନ୍ତ ହୁଏ, ତେବେ ପଶ୍ଚିମବଙ୍ଗର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବ। ଏବେ କେବଳ ଅପେକ୍ଷା ରାଜଭବନରୁ ଆସିବାକୁ ଥିବା ଆନୁଷ୍ଠାନିକ ଘୋଷଣାକୁ।

Leave A Reply

Your email address will not be published.