ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ଯୁବକ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଓମ୍ ଏହି ପୂରା ମାମଲା ଉପରୁ ପରଦା ହଟାଇଛନ୍ତି। ଓମ୍ଙ୍କ ବୟାନ ଅନୁଯାୟୀ, ଦୁଇ ଯୁବତୀ ଗଣମାଧ୍ୟମ ଆଗରେ ଦେଉଥିବା ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।
ଓମ୍ଙ୍କ କହିବା କଥା, ସେଦିନ ମନିପର୍ସ ଛାଡ଼ି ଦେଇଥିବାରୁ ସେ ଓ ସୌମ୍ୟ ଗାଡ଼ି ବୁଲାଇ ପଛକୁ ଫେରୁଥିଲେ। ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟରଞ୍ଜନଙ୍କୁ ‘ଫିଡ୍ସ’ (ବାତ ରୋଗ ଜନିତ ଆକ୍ରମଣ) ମାରିଥିଲା। ସୌମ୍ୟ ପଛରେ ବସି ଓମ୍ଙ୍କ ବେକକୁ ଟାଣି ଧରିବାରୁ ବାଇକ୍ଟି ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା ଦୁଇ ଯୁବତୀଙ୍କ ସ୍କୁଟିରେ ପିଟି ହୋଇଯାଇଥିଲା। ତଳେ ପଡ଼ିଯିବା ପରେ ଫିଡ୍ସ ପ୍ରଭାବରେ ସୌମ୍ୟର ସ୍ନାୟୁବିକ ନିୟନ୍ତ୍ରଣ ରହିନଥିଲା ଏବଂ ସେ ଯୁବତୀଙ୍କ ଉପରକୁ ଝାମ୍ପି ପଡ଼ିଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ଓ ଓମ୍ଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ।
ଓମ୍ ସ୍ପଷ୍ଟ କରିଛନ୍ତି ଯେ, ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲେ, ବରଂ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କର ଆଚରଣ ଅସ୍ୱାଭାବିକ ହୋଇଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ଭୁଲ୍ ବୁଝି ସୌମ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଭୟରେ ସୌମ୍ୟ ବ୍ରିଜ୍ ପାଖରୁ ପଡ଼ିଆ ଭିତରକୁ ଦୌଡ଼ିଥିଲେ ହେଁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ।
ସବୁଠାରୁ ସାଂଘାତିକ କଥା ହେଉଛି, ୧୫ ମିନିଟ୍ ପରେ ପିସିଆର୍ ଭ୍ୟାନ୍ ପହଞ୍ଚିବା ପରେ ମଧ୍ୟ ପୋଲିସ ଉପସ୍ଥିତିରେ ଲୋକମାନେ ସୌମ୍ୟଙ୍କୁ ମାଡ଼ ମାରିବା ଜାରି ରଖିଥିଲେ। ଏମିତିକି ସାଦା ପୋଷାକରେ ପହଞ୍ଚିଥିବା ଏସଆଇଙ୍କୁ ମଧ୍ୟ ଲୋକେ ଛାଡ଼ିନଥିଲେ। ରାସ୍ତାରେ ଯାଉଥିବା ଅଜଣା ଲୋକେ ବି କିଛି ନବୁଝି ସୌମ୍ୟଙ୍କୁ ପ୍ରବଳ ପ୍ରହାର କରିଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ସାଜିଥିବା ଅନୁମାନ କରାଯାଉଛି।
ଏହି ବୟାନ ପରେ ଏବେ ବାଲିଅନ୍ତା ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ସେହି ଦୁଇ ଯୁବତୀଙ୍କ ସତ୍ୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।