Latest Odisha News

BREAKING NEWS

ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ବୈଠକରେ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ଚାଲିଥିବାବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସେହିପରି ଟାଟା ପାୱାର ଅଧିକାରୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ରଥଯାତ୍ରାରେ ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକାଯିବ ।

ରଥଯାତ୍ରାରେ ୪୦୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ନିଷ୍ପତ୍ତି ହୋଇଛି । ରେଳଷ୍ଟେସନ ବାହାରେ ୬ଟି ସ୍ଥାନରେ କାଉଣ୍ଟର ସହ ସ୍ଵତନ୍ତ୍ର ଭିଡ ପରିଚାଳନା ଯୋଜନା ହେବ । ରଥଯାତ୍ରା ସମୟରେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଶ୍ରଦ୍ଧାଳୁଙ୍କ ପାଇଁ ବଲ୍କ ମେସେଜିଂ ସର୍ଭିସ ରହିବ । ଆଣ୍ଟି ଡ୍ରୋନ୍ ଟିମ୍, ଏନଡିଆରଏଫ୍, ଓଡିଆରଏଫ୍ ମୁତୟନ ହେବେ । ପାର୍କିଂ ସଂଖ୍ୟା ବୃଦ୍ଧି ହେବ । ରାପିଡ ଆକ୍ସନ ଫୋର୍ସ ଅଧିକ ସଂଖ୍ୟାରେ ମୁତୟନ ହେବେ ।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ବିସିଥିବା ପ୍ରଥମ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ରଥ ନିର୍ମାଣ ପାଇଁ ଚଳିତ ବର୍ଷ ୮୧୮ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ୭୧୦ ଖଣ୍ଡ କାଠ ପହଞ୍ଚି ସାରିଛି । ଚଳିତ ବର୍ଷ ଢେଙ୍କାନାଳ ହିନ୍ଦୋଳରୁ ଚାରମାଳ ପାଇଁ ଅଧିକ ଏକ ସେଟ୍ ତାଳ ଗଛ କାଠ ଅଣାଯିବ ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ ମହାନଗର ନିଗମ ଅଞ୍ଚଳରେ ୫ ଲକ୍ଷର ବୀମା କରାଯିବ । ଅସ୍ବାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଏହି ବୀମା ଅନ୍ତର୍ଭୁକ୍ତ ହେବ । ୧୬୦୦ ମିଟର ବିଭିନ୍ନ ରଙ୍ଗର ରଥ କନା ଆସିବ । ରଥ ଦଉଡି଼ ପାଇଁ ଓଡ଼ିଶା ସମବାୟ କତା ନିଗମ ଚଳିତ ମାସ ଶେଷ ସୁଦ୍ଧା ୨୮ ଗୋଟି ରଥ ଟଣା ଦଉଡି଼ ଏବଂ ୬ ଗୋଟି କଡର୍ନ ଦଉଡି଼ ପହଞ୍ଚିବ । ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ପୁରୀ ମହାନଗର ନିଗମ ପକ୍ଷରୁ ସବୁ ସାହି, ସବୁ ବାଇଲେନରେ ଦୁଇ ଥର ଡ୍ରେନ ସଫା ହେବ । ବଡ଼ଦାଣ୍ଡ ସହ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ୧୦୦୦ ଓ ପୋଲିସ ପାଇଁ ୬୦୦ ଅସ୍ଥାୟୀ ଶୌଚାଳୟ ମିଶାଇ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ମଶା ତେଲ ପକାଯିବ । ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପକାଯିବ ବୋଲି ବୈଠକେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.