ଥିରୁଅନନ୍ତପୁରମ୍: ଗତ କିଛି ଦିନ ଧରି ତାମିଲନାଡୁ ରାଜନୀତିରେ ଚାଲିଥିବା ହାଇ-ଭୋଲଟେଜ୍ ଡ୍ରାମାର ଆଜି ଅନ୍ତ ଘଟିଛି। ବିଧାନସଭାରେ ଅନୁଷ୍ଠିତ ଫ୍ଲୋର ଟେଷ୍ଟରେ, ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି, ତାଙ୍କର କ୍ଷମତା ବଜାୟ ରଖିଛନ୍ତି। ମୋଟ ୧୪୪ ବିଧାୟକ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଫଳରେ ଆବଶ୍ୟକ ବହୁମତକୁ ଅତିକ୍ରମ କରିଥିଲେ ବିଜୟ। ସରକାରଙ୍କ ବିରୁଦ୍ଧରେ ୨୨ ଭୋଟ ପଡ଼ିଥିଲା, ଯେତେବେଳେ ୫ ବିଧାୟକ ବିରତ ରହିଥିଲେ।
ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ତାଙ୍କ ଭାଷଣ ସମାପ୍ତ କରିବା ମାତ୍ରେ ଡିଏମକେ ସଦସ୍ୟମାନେ ବିଧାନସଭାରୁ ଓ୍କାକ୍ ଆଉଟ କରିଥିଲେ, ଟିଭିକେ ସରକାରଙ୍କୁ ସମର୍ଥନ କରିବାକୁ ମନା କରି ଗୃହ ଛାଡି ଚାଲିଯାଇଥିଲେ । ବିଶ୍ୱାସ ଭୋଟ ସମୟରେ ଗୃହରେ ଭାଷଣ ଦେଇ ଉଦୟନିଧି ଷ୍ଟାଲିନ ଘୋଷଣା କରିଥିଲେ ଯେ ଡିଏମକେ ସଦସ୍ୟମାନେ ଆସ୍ଥା ଭୋଟ ସମୟରେ ବିଧାନସଭାରୁ ଚାଲିଯିବେ।
ସେ ବିଦ୍ରୋହୀ ଏଆଇଏଡିଏମକେ ସଦସ୍ୟଙ୍କ ସହ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ସମାଲୋଚନା କରିଥିଲେ ଏବଂ ପ୍ରଶ୍ନ କରିଥିଲେ ଯେ ଯାହା ଘଟୁଛି ତାହା “ପରିବର୍ତ୍ତନ” ନା ” କାରବାର”। ଷ୍ଟାଲିନ କହିଥିଲେ ଯେ ଲୋକମାନେ ପ୍ରଶ୍ନ କରୁଛନ୍ତି, “ଏହା କ’ଣ ଆପଣଙ୍କର ସ୍ୱଚ୍ଛ ଶାସନ?”
ବିଶ୍ୱାସ ଭୋଟ ଉପରେ ଆଲୋଚନା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଗୃହରେ ତାଙ୍କର ପକ୍ଷ ଉପସ୍ଥାପନ କରିଥିଲେ ଏବଂ ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଉତ୍ତର ଦେଇଥିଲେ। ମୁଖ୍ୟମନ୍ତ୍ରୀ ବିଜୟ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ସରକାର ନିଶ୍ଚିତ ଭାବରେ ଏକ “ଧର୍ମନିରପେକ୍ଷ” ସରକାର ହେବ।
ଘୋଡା ବେପାରର ଅଭିଯୋଗର ପ୍ରତିବାଦ କରି ବିଜୟ କହିଛନ୍ତି, “ଏହି ସରକାର ଦ୍ରୁତ ଗତିରେ କାମ କରିବ, କିନ୍ତୁ ଘୋଡା ବେପାରରେ ଲିପ୍ତ ହେବ ନାହିଁ।” ସେ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ପୂର୍ବ ସରକାରଙ୍କ ସମସ୍ତ ଜନହିତକର ଯୋଜନା ତାଙ୍କ ସରକାର ଦ୍ୱାରା ଜାରି ରହିବ।