ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବା ଧାଡ଼ି। ଖରାତରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା। ଗାଡ଼ିର ଟାଙ୍କି ଫୁଲ୍ କରିବା ପାଇଁ ଲୋକଙ୍କ ଭିତରେ ଏକ ଅଦ୍ଭୁତ ଛାନିଆ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ, ପୁରୀ, ରାଉରକେଲା, ବାଲେଶ୍ୱର ଏବଂ ବଲାଙ୍ଗୀର ପର୍ଯ୍ୟନ୍ତ ଏବେ ସବୁଠି ପ୍ରାୟ ସମାନ ଚିତ୍ର। ଗୋଟିଏ ପଟେ ରାଜ୍ୟ ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ବାରମ୍ବାର ଦାବି କରୁଛନ୍ତି ଯେ ରାଜ୍ୟରେ ଇନ୍ଧନର କୌଣସି ଅଭାବ ନାହିଁ, ଅନ୍ୟପଟେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଅନେକ ପେଟ୍ରୋଲ ପମ୍ପରେ ଏବେ ଝୁଲୁଛି ‘ନୋ ଷ୍ଟକ୍’ ବୋର୍ଡ। ଏଭଳି ସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ପର୍ଯ୍ୟାପ୍ତ ତେଲ ଅଛି, ତେବେ ହଠାତ୍ କାହିଁକି ଉପୁଜିଲା ଏତେ ବଡ଼ ସଙ୍କଟ?
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧିର ଆଶଙ୍କା ଲୋକଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି କରିଛି। କାଳେ ଆଗକୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ, ଅବା ଏହାର ଦାମ୍ ହଠାତ୍ ଆକାଶଛୁଆଁ ହୋଇଯିବ, ଏହି ଆଶଙ୍କାରେ ଲୋକେ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପକୁ ଧାଉଁଛନ୍ତି।
ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ତେଲ ଗାଡ଼ିରେ ଭରିବା ଏବଂ କିଛି ସ୍ଥାନରେ ବଡ଼ ଜାର୍ରେ ଗଛିତ ରଖିବା ଫଳରେ, ପମ୍ପଗୁଡ଼ିକରେ ଥିବା ଷ୍ଟକ୍ ଅଚାନକ ସରିଯାଉଛି। କିଛି ଜାଗାରେ ତ ଅବସ୍ଥା ଏପରି ହୋଇଛି ଯେ, ବାଧ୍ୟ ହୋଇ ପମ୍ପ ମାଲିକମାନେ ସୀମା ନିର୍ଦ୍ଧାରଣ କରିଦେଇଛନ୍ତି ବାଇକ୍ ପାଇଁ ମାତ୍ର ୨୦୦ ଟଙ୍କା ଏବଂ କାର୍ ପାଇଁ ୨୦୦୦ ଟଙ୍କାର ପେଟ୍ରୋଲ ଦିଆଯାଉଛି।
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର ସଫେଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ନିଅଣ୍ଟିଆ ପରିସ୍ଥିତି ନାହିଁ ଏବଂ ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଯୋଗାଣ ସଚିବ ମଧ୍ୟ ଚେତାବନୀ ଦେଇଛନ୍ତି ଯେ କଳାବଜାରୀ କିମ୍ବା ତେଲ ଗଛିତ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେହିପରି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ମୁଖ୍ୟ ସାଧାରଣ ପ୍ରବନ୍ଧକ କମଳ ଶୀଲ ଗଣମାଧ୍ୟମକୁ କହିଛନ୍ତି, “ତୈଳ କମ୍ପାନୀଗୁଡ଼ିକ ପାଖରେ ଆଗାମୀ ୧୦ ରୁ ୧୩ ଦିନ ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ଅଛି। ଅଯଥା ଭୟଭୀତ ହେବାର କୌଣସି କାରଣ ନାହିଁ।” ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମଧ୍ୟ ଲୋକଙ୍କୁ ଏଭଳି ଅଯଥା ଗୁଜବରେ ବିଶ୍ୱାସ ନକରିବାକୁ ଅପିଲ୍ କରିଛନ୍ତି।
ସରକାରୀ ସ୍ତରରେ ଯେତେ ଆଶ୍ୱାସନା ଦିଆଗଲେ ମଧ୍ୟ, ଗ୍ରାଉଣ୍ଡ୍ ଜିରୋରେ ସ୍ଥିତି ସଙ୍ଗିନ ରହିଛି। ଭୁବନେଶ୍ୱରର କଳ୍ପନା ଛକ, ଜୟଦେବ ବିହାର, ଏବଂ କଟକର ଲିଙ୍କ୍ ରୋଡ୍ ଭଳି ପ୍ରମୁଖ ସ୍ଥାନରେ ତେଲ ପକାଇବାକୁ ଲାଗିଥିବା ଭିଡ଼ ଯୋଗୁଁ ଟ୍ରାଫିକ୍ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି।
ଏହି କୃତ୍ରିମ ସଙ୍କଟର ପ୍ରଭାବ କେବଳ ସହରାଞ୍ଚଳରେ ସୀମିତ ନାହିଁ, ବରଂ ଗ୍ରାମାଞ୍ଚଳ ଏବଂ କୃଷି କ୍ଷେତ୍ର ଉପରେ ମଧ୍ୟ ଏହାର ବଡ଼ ମାଡ଼ ପଡ଼ିଲାଣି। ଡିଜେଲ ଅଭାବରୁ ଜଳସେଚନ ପମ୍ପ ଚଲାଇ ନପାରି ଚାଷୀମାନେ ହନ୍ତସନ୍ତ ହେଉଥିବା ବେଳେ, ପୁରୀ ଓ ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଡଙ୍ଗା ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଘରୋଇ ବସ୍ ମାଲିକ ସଂଘର ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳର ପମ୍ପଗୁଡ଼ିକରେ ଡିଜେଲ୍ ସହଜରେ ଉପଲବ୍ଧ ହେଉନଥିବା କାରଣରୁ ରାଜ୍ୟରେ ପ୍ରାୟ ୨୦୦୦ ବସ୍ ଚଳାଚଳ ସାମୟିକ ଭାବେ ବନ୍ଦ ହୋଇଗଲାଣି।
ଯଦି ସତରେ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ଅଛି, ତେବେ ତାହା ଠିକ୍ ସମୟରେ ଡିଲରଙ୍କ ପାଖରେ ପହଞ୍ଚି ପାରୁନି କାହିଁକି? ହଠାତ୍ ଚାହିଦା ବଢ଼ିଗଲେ ଏହାକୁ ପରିଚାଳନା କରିବାରେ ବ୍ୟବସ୍ଥା କାହିଁକି ଫେଲ୍ ମାରୁଛି? କିଛି ଅସାଧୁ ବ୍ୟବସାୟୀ ଏହି ସୁଯୋଗରେ କଳାବଜାରୀ କରୁଥିବା ନେଇ ସାଧାରଣରେ ଅଭିଯୋଗ ଆସୁଥିଲେ ମଧ୍ୟ, ପ୍ରଶାସନର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କେଉଁଠି? ଏସବୁ ଏବେ ଏକ ବଡ଼ ପ୍ରଶ୍ନଚିହ୍ନ ପାଲଟିଛି। ବର୍ତ୍ତମାନ ସମୟରେ ଲୋକଙ୍କୁ ଆତଙ୍କିତ ନହୋଇ କେବଳ ନିଜ ଆବଶ୍ୟକତା ଅନୁଯାୟୀ ଇନ୍ଧନ କିଣିବାକୁ ପରାମର୍ଶ ଦିଆଯାଇଛି।