Latest Odisha News

BREAKING NEWS

ସାର କଳାବଜାରୀ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପଟେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବଡ଼ ବୟାନ ମଧ୍ୟ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି। ନକଲି ପେଷ୍ଟିସାଇଡ୍‌ ବଜାରରେ ବିକ୍ରି ହେଉଛି। ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି ବୋଲି କହିଛନ୍ତି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ।

ସାର କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟଙ୍କ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଦୁଇ ମିନିଟ୍‌ରେ ଲୋନ୍‌ ମିଳି ପାରିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଆଗକୁ ଅଭାବୀ ବର୍ଷା ଆଶଙ୍କା ରହିଛି । ଏଭଳି ପରିସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ପଶ୍ଚିମବଙ୍ଗରେ ଚାଷୀ ପାଇଁ ଉଦ୍ଧିଷ୍ଟ କେନ୍ଦ୍ରର ବହୁ ଯୋଜନା ଲାଗୁ ହୋଇ ନଥିଲା । ସଠିକ ଭାବେ ଚେଷ୍ଟା କଲେ କୃଷି ଅଭିବୃଦ୍ଧିର ଇଂଜିନ ହେବ ପୂର୍ବ ଭାରତ । ପୂର୍ବ ଭାରତର ଉତ୍ପାଦନ ହାର କିଛି ସ୍ଥାନରେ କମ ରହିଛି । ଏହାକୁ ଜାତୀୟ ହାର ଠାରୁ ଅଧିକାର ବଢ଼ାଇବାକୁ ପଡିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରକାଶ କରିଛନ୍ତି। କୃଷକମାନଙ୍କ ସମ୍ମାନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷକ ହେଉଛି ଆମର ଅନ୍ନଦାତା ଏବଂ ଯଦି ଏହି ଧରାପୃଷ୍ଠରେ କେହି ଦ୍ୱିତୀୟ ଭଗବାନ ଥାଏ, ତେବେ ସେ ହେଉଛି ଜଣେ କୃଷକ। ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ ବୋଲି ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବର୍ତ୍ତମାନର ବିଶ୍ୱସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରାକୃତିକ ଚାଷ ବା ‘ନେଚୁରାଲ୍ ଫାର୍ମିଂ’ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରତିନିଧି ଓ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ଅତିକମରେ ପାଞ୍ଚ ଭାଗରୁ ଭାଗେ (୨୦ ପ୍ରତିଶତ) ଜମିରେ ନିଶ୍ଚିତ ଭାବେ ପ୍ରାକୃତିକ ଚାଷ କରିବା ଆବଶ୍ୟକ। ଏହାଦ୍ୱାରା ରାସାୟନିକ ସାରର ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ ଏବଂ ମାଟିର ଉର୍ବରତା ବଜାୟ ରହିବ। ଏଥିସହ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ (New Pesticide Act) ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.