ନୂଆଦିଲ୍ଲୀ: ଉଜ୍ଜ୍ୱଳା ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଯଦି ଆପଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଉଜ୍ଜ୍ୱଳା ଗ୍ୟାସ ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ପ୍ରତିବର୍ଷ ଉପଭୋକ୍ତାଙ୍କୁ ବାୟୋମେଟ୍ରିକ ଭେରିଫିକେସନ ବା କେୱାଇସି (KYC) କରିବା ବାଧ୍ୟତାମୂଳକ ହେବ। ଯଦି ଆପଣ ଏହା ନକରନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ଆସୁଥିବା ଗ୍ୟାସ ସବସିଡି ଟଙ୍କା ବନ୍ଦ ହୋଇଯାଇପାରେ।
ଗ୍ୟାସ ସବସିଡିରେ ହେଉଥିବା ହେରଫେର ଏବଂ ଜାଲିଆତି ରୋକିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମ ଅନୁଯାୟୀ, ବର୍ଷକୁ ଅତିକମରେ ଥରେ ଆଧାର ଭିତ୍ତିକ ବାୟୋମେଟ୍ରିକ ଭେରିଫିକେସନ କରିବାକୁ ପଡ଼ିବ। ତେଲ କମ୍ପାନୀଗୁଡ଼ିକୁ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଅଷ୍ଟମ ସିଲିଣ୍ଡର ପୂର୍ବରୁ ଯାଞ୍ଚ ଜରୁରୀ
ଯଦି ଜଣେ ଉପଭୋକ୍ତା ବର୍ଷକୁ ୭ଟି ସିଲିଣ୍ଡର ନେବା ପରେ ଅଷ୍ଟମ ସିଲିଣ୍ଡର ବୁକ୍ କରନ୍ତି, ତେବେ ତାଙ୍କୁ ପ୍ରଥମେ ଭେରିଫିକେସନ କରିବାକୁ ହେବ, ନଚେତ୍ ସବସିଡି ମିଳିବ ନାହିଁ।
୩୦ ଜୁନ୍ ହେଉଛି ଶେଷ ତାରିଖ
ଯେଉଁ ଗ୍ରାହକମାନେ କନେକ୍ସନ ନେବା ପରେ ଏପର୍ଯ୍ୟନ୍ତ ଥରେ ହେଲେ ବି କେୱାଇସି (KYC) କରିନାହାନ୍ତି, ସେମାନଙ୍କ ପାଇଁ ଆସନ୍ତା ୩୦ ଜୁନ୍ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହି ଅବଧି ମଧ୍ୟରେ ଯାଞ୍ଚ ନକଲେ ଜୁନ୍ ମାସ ପରେ ସବସିଡି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।
ସରକାରଙ୍କ ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି କେୱାଇସି ହୋଇନଥିବାରୁ ଅନେକ ସ୍ଥାନରେ ମୃତ ବ୍ୟକ୍ତିଙ୍କ ନାଁରେ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବା ଲୋକଙ୍କ ନାଁରେ ଏବେ ବି ସବସିଡି ନିଆଯାଉଛି। ଏଭଳି ନକଲି ଉପଭୋକ୍ତାଙ୍କୁ ଚିହ୍ନଟ କରି ଏକ ସ୍ୱଚ୍ଛ ଏବଂ ନୂଆ ଡାଟା ପ୍ରସ୍ତୁତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।